ନୂଆଦିଲ୍ଲୀ: ଷ୍ଟାଡିୟମରେ ଛାଇଯିବ ହଲଦିଆ ନୀଳ ଜର୍ସି । ସମର୍ଥକଙ୍କ ହୋ ହାଲ୍ଲାରେ କମ୍ପିବ ମୈଦାନ । କିଏ ସିଧାସଳଖ ହାତେଇବ ଫାଇନାଲ ଫାଇଟ ପାଇଁ ଟିକେଟ ? ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲର ଚଳିତ ସଂସ୍କରଣ ଅନ୍ତିମ ଚରଣରେ ପହଞ୍ଚିଛି । ଆଜିଠୁ ପ୍ଲେ' ଅଫ୍ ମ୍ୟାଚ ଖେଳାଯିବ । ପ୍ରଥମ କ୍ବାଲିଫାୟାର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ ଓ ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ । ଚେନ୍ନାଇର ଚେପକ ଷ୍ଟାଡିୟମରେ ଚେନ୍ନାଇ ଓ ଗୁଜୁରାଟ ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ । ଏହି ମ୍ୟାଚ ବିଜୟୀ ଟିମ୍ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ପରାଜିତ ଦଳ ପାଇଁ ଫାଇନାଲ ଟିକେଟ୍ ନେଇ ଆଉ ଏକ ସୁଯୋଗ ରହିବ । କ୍ବାଲିଫାୟାର ଦ୍ବିତୀୟ ମ୍ୟାଚରେ ପରାଜିତ ଦଳ ଏଲିମିନେଟର ବିଜେତା ଟିମ୍ ସହ ଲଢିବ ।
ଚେନ୍ନାଇ-ଗୁଜୁରାଟ ଟକ୍କର: ଚଳିତ ସିଜିନରେ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି ଗୁଜୁରାଟ ଟାଇଟନ୍ସ । ପୂର୍ବ ବର୍ଷ ପଦାର୍ପଣ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟାନ୍ସ ଚଳିତ ସିଜିନରେ ମଧ୍ୟ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ଚଳିତ ସିଜନରେ ଦଳ ମୋଟ 14ଟି ଲିଗ୍ ମ୍ୟାଚରୁ 10ଟିରେ ବିଜୟ ହାସଲ କରି 20 ପଏଣ୍ଟ ସହ ଟେବୁଲ ଟପ୍ରେ ରହିଛି ଟାଇଟନ୍ସ । ଆଜି ଚେନ୍ନାଇ ବିପକ୍ଷରେ ବିଜୟ ହାସଲ କରି ସିଧାସଳଖ ଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛି ଗୁଜୁରାଟ ଟାଇଟନ୍ସ । ଦଳର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ସନ୍ତୁଳିତ ରହିଛି । ରେକର୍ଡ ଦେଖିଲେ ଚେନ୍ନାଇ ଉପରେ ଗୁଜୁରାଟର ପଲ୍ଲା ଭାରି ରହିଛି । ଦଳର ବୋଲିଂ ବିଭାଗରେ ବିଶେଷ କରି ରାସିଦ ଖାନ୍ ଓ ମହମ୍ମଦ ସାମିଙ୍କ ଉପରେ ନଜର ରହିବ ।
ଗୁଜୁରାଟ ଶକ୍ତିଶାଳୀ ରହିଥିଲେ ସୁଦ୍ଧା 4 ଥର ଆଇପିଏଲ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସକୁ ଅଣଦେଖା କରାଯାଇ ନପାରେ । ଚଳିତ ସିଜନରେ ଚେନ୍ନାଇ ମୋଟ 14ଟି ଲିଗ୍ ମ୍ୟାଚରୁ 8ଟି ଜିତି 15 ପଏଣ୍ଟ ସହ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଆଜି ଘରୋଇ ମାଟିରେ ଗୁଜୁରାଟତୁ ମାତ୍ ଦେଇ ପୂର୍ବ ପରାଜୟର ପ୍ରତିଶୋଧ ନେବା ସହ ସିଧାସଳଖ ଫାଇନାଲରେ ସ୍ଥାନ ପକ୍କା କରିବା ସ୍ବପ୍ନ ନେଇ ମୈଦାନକୁ ଓହ୍ଲାଇବ ସୁପକ କିଙ୍ଗସ । ଇତି ମଧ୍ୟରେ ଦୁଇ ଦଳ ପରସ୍ପରକୁ 3ଥର ଭେଟିଛନ୍ତି । ଟାଇଟନ୍ସ ସମସ୍ତ ମ୍ୟାଚ ଜିତିଛି । ଆଜି ଚେପକରେ ଏହି ଧାରା ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ । ଏଯାବତ ପ୍ଲେ' ଅଫ୍ରେ ଚେନ୍ନାଇ ମୋଟ 24ଟି ପ୍ଲେ ଅଫ ଖେଳି 15ଟି ଜିତିଛି । ଦଳର ବୋଲିଂରେ ବିଶେଷ କରି ଜାଡେଜା ଓ ତୁଷାର ଦେଶପାଣ୍ଡେଙ୍କ ଉପରେ ନଜର ରହିବ ।
ଗିଲ-ଗାଏକ୍ବାଡଙ୍କ ଉପରେ ନଜର: ଦୁଇଦଳର ଯୁବ ବ୍ୟାଟର ଶୁଭମନ ଗିଲ ଓ ଋତୁରାଜ ଗାଏକ୍ବାଡ ଫୁଲ ଫର୍ମରେ ରହିଛନ୍ତି । ଆର୍ସିବି ବିପକ୍ଷ ଶେଷ ଲିଗ୍ ମ୍ୟାଚରେ ଶୁଭମନଙ୍କ ବିସ୍ପୋରକ ଶତକ ଏବେ ବି ଫ୍ୟାନ୍ସଙ୍କ ମନରୁ ଯାଇନାହିଁ । ଆଜି ଗିଲ୍ଙ୍କୁ ଅଟକାଇବାକୁ ଚେନ୍ନାଇ ବୋଲର ସବୁ ବଳ ଲଗାଇଦେବେ ସେହିପରି ଚେନ୍ନାଇ ଖେଳାଳି ଋତୁରାଜ ଗାଏକ୍ବାଡଙ୍କର ମଧ୍ୟ ଭଲ ପ୍ରଦର୍ଶନ ରହିଛି । ଆଜି ମଧ୍ୟ ତାଙ୍କ ବ୍ୟାଟରୁ ଚୌକା ଛକା ବର୍ଷା ହେବା ନେଇ ଆଶା ରଖିଛନ୍ତି ଚେନ୍ନାଇ ଫ୍ୟାନ୍ସ ।
ଏହା ବି ପଢନ୍ତୁ...World Atheletic Javelin Rank: ବିଶ୍ବର ଏକ ନମ୍ବର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା
ପ୍ରକାଶଥାଉ କି, ଆଇପିଏଲ 16ତମ ସଂସ୍କରଣରେ 51 ଦିନରେ 70ଟି ଲିଗ ମ୍ୟାଚ ପରେ 4ଟି ଦଳ ପ୍ଲେ ଅଫରେ ପ୍ରବେଶ କରିଛନ୍ତି । ଆଜି ପ୍ରଥମ ପ୍ଲେ ଅଫରେ ବିଜୟୀ ଦଳ ସିଧାସଳଖ ଫାଇନାଲ ପ୍ରବେଶ କରିବ । ପରାଜିତ ଦଳ କ୍ବାଲିଫାୟାର ଦ୍ବିତୀୟ ମ୍ୟାଚରେ ଏଲିମିନେଟର ବିଜୟୀ ଟିମକୁ ଭେଟିବ । ଆସନ୍ତାକାଲି (ବୁଧୁବାର) ମୁମ୍ବାଇ ଓ ଲକ୍ଷ୍ନୌ ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯିବ । 26 ତାରିଖରେ କ୍ବାଲିଫାୟର ଦ୍ବିତୀୟ ମ୍ୟାଚ୍ ଖେଳାଯିବ । ଏହାପରେ ଆସନ୍ତା 28 ତାରିଖରେ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ୍ ଫାଇଟ ଖେଳାଯିବ ।
CSK ସମ୍ଭାବ୍ୟ ଏକାଦଶ: ଡେଭନ କନ୍ୱେ, ଋତୁରାଜ ଗାଏକ୍ବାଡ, ଆଜିଙ୍କ୍ୟ ରାହାଣେ, ଶିବମ ଦୁବେ, ମୋଇନ ଅଲି, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନୀ (ଅଧିନାୟକ),ଦୀପକ ଚହର, ମହୀଷ ତୀକ୍ଷାଣା, ତୁଷାର ଦେଶପାଣ୍ଡେ ।
GT ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ରିଦ୍ଧିମାନ ଶାହା, ବିଜୟ ଶଙ୍କର, ଡେଭିଡ ମିଲର, ଦାସୁନ ଶନକା, ରାହୁଲ ତେୱାତିଆ, ରସିଦ ଖାନ, ଯଶ ଦୟାଲ, ମହମ୍ମଦ ସାମି, ନୁର ଅହମ୍ମଦ ।