ଆବୁଧାବି: କୋଲକାତା ନାଇଟ ରାଇଡର୍ସ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମାତ୍ର ୯୨ ରନ୍ରେ ସମସ୍ତ ୱିକେଟ ହରାଇଛି ବିରାଟ କୋହଲିଙ୍କ RCB । ଫଳରେ KKR ସାମ୍ନାରେ ୯୩ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ର ରସେଲଙ୍କ ଘାତକ ବୋଲିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସଂପୂର୍ଣ୍ଣ ୨୦ ଓଭର ଖେଳିବାକୁ ସମର୍ଥ ହୋଇପାରିନଥିଲା । ୧୯ ଓଭର ମଧ୍ୟରେ ୯୨ ରନ୍ରେ ସମସ୍ତ ୱିକେଟ ହରାଇଥିଲା । ଆବୁଧାବିର ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ KKR ବୋଲରଙ୍କ ଶାଣିତ ବୋଲିଂ ଯୋଗୁଁ ରନ୍ ସଂଗ୍ରହ କରିବାକୁ ସଂଘର୍ଷ କରିଥିଲେ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ । ଦଳ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ । ଏପରିକି ୭ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ । ଦେବଦତ୍ତ ପାଦିକ୍କଲ ୨୦ ବଲ୍ରୁ ୩ ଚୌକା ସହିତ ୨୨ ରନ୍ର ଯୋଗଦାନ କରିଥିଲେ । ଶ୍ରୀକର ଭାରତ ୧୬ ଓ ମାକ୍ସୱେଲ ୧୦ ରନ୍ କରିଥିଲେ । କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଭେଟେରାନ ଏବି ଡିଭିଲିୟର୍ସ ଫେଲ୍ ମାରିଥିଲେ ।
କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୧୩ ରନ୍ ବ୍ୟୟ କରି ୩ଟି ୱିକେଟ ଅକ୍ତିଆର କରିଥିଲେ । ଆନ୍ଦ୍ରେ ରସେଲ ମଧ୍ୟ ୩ ଓଭର ବୋଲିଂ କରି ୯ ରନ୍ ବ୍ୟୟରେ ୩ଟି ୱିକେଟ ହାସଲ କରିତିଲେ । ଲୁକି ଫର୍ଗୁସନ ୨ଟି ଓ ପ୍ରସିଦ୍ଧ କ୍ରୀଷ୍ଣା ଗୁରୁତ୍ବପୂର୍ଣ୍ଣ କୋହଲିଙ୍କ ୱିକେଟ ଦଖଲ କରିଥିଲେ ।
୯୨ ରନ୍ ଆଇପିଏଲ ଇତିହାସରେ RCBର ଅନ୍ୟତମ ସର୍ବନିମ୍ନ ସ୍କୋର । ପୂର୍ବରୁ ୨୦୧୭ରେ କୋଲକାତା ବିପକ୍ଷରେ ୪୯, ୨୦୧୪ରେ ସମାନ ଆବୁଧାବି ଗ୍ରାଉଣ୍ଡରେ ୭୦, ୨୦୧୯ରେ ଚେନ୍ନଇ ସୁପର କିଙ୍ଗ୍ସ ବିପକ୍ଷରେ ୭୦, ୨୦୦୮ରେ କୋଲକାତା ବିପକ୍ଷରେ ୮୨, ୨୦୦୯ରେ ଚେନ୍ନାଇ ବିପକ୍ଷରେ ୮୭ ରନ୍ରେ ଅଲଆଉଟ୍ ହେବାର ଅଲୋଡା ରେକର୍ଡ ନିଜ ନାମରେ କରିଛି RCB ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ