ଚେନ୍ନାଇ: ଆଇପିଏଲର ତ୍ରୟୋଦଶ ମ୍ୟାଚ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଜାରି ରହିଛି । ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 137 ରନ୍ ସଂଗ୍ରହ କରିଛି ମୁମ୍ବାଇ । ଫଳରେ ଦିଲ୍ଲୀ ସାମ୍ନାରେ 138 ରନର ବିଜୟ ଲକ୍ଷ୍ୟ ରହିଛି ।
ମୁମ୍ବାଇ ପକ୍ଷରୁ କ୍ୟାପଟେନ ରୋହିତ ଶର୍ମା 30 ବଲ୍ରୁ 3ଚୌକା ଓ 3 ଛକା ସହାୟତାରେ ସର୍ବାଧିକ 44 ରନ୍ର ଇଂନିସ ଖେଳିଥିଲେ । ସୂର୍ଯ୍ୟକୁମାର ଯାଦବ 15 ବଲ୍ରୁ 24 ଓ ଇସାନ କିଶନ 28 ବଲ୍ରୁ 26 ରନ୍ର ଇଂନିସ ଖେଳିଥିଲେ । ତେବେ ଓପନର ଡିକକ୍, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ ଫେଲ୍ ମାରିଥିଲେ । ଶେଷ ଭାଗରେ ଜୟନ୍ତ ଯାଦବ 23 ରନ୍ର ଉପଯୋଗୀ ଯୋଗଦନା କରିଥିଲେ ।
ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ସଫଳତମ ବୋଲର ରହିଥିଲେ ଅଭିଜ୍ଞ ସ୍ପିନର ଅମିତ ମିଶ୍ର । ରୋହିତ ଶର୍ମା, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା ଓ କିରଣ ପୋଲାର୍ଡଙ୍କ ଭଳି ମୁମ୍ବାଇ କ୍ୟାମ୍ପର ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ବିପର୍ଯ୍ୟୟ ଘଟାଇଥିଲେ ମିଶ୍ର । 4 ଓଭରରେ 24 ରନର ବ୍ୟୟ କରି ସର୍ବାଧିକ 4ଟି ୱିକେଟ ହାତେଇଥିଲେ । ଅବେଶ କାନ 2ଟି ଓ ଷ୍ଟୋଇନିସ, ଲଳିତ ଯାଦବ, ରବାଡା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ