ଦୁବାଇ: ଆଇପିଏଲର 2020 ଟୁର୍ଣ୍ଣାମେଣ୍ଟରେ ଆଜି ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ ମହା ଟକ୍କର। ଦୁବାଇ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ ଆଇପିଏଲର ଏହି 49ତମ ମ୍ୟାଚ ଖେଳାଯିବ। ଆଇପିଏଲ ଇତିହାସରେ ଦୁଇ ଟିମଙ୍କ ମଧ୍ୟରେ 22ଥର ମୁକାବିଲା ହୋଇଛି। ସେଥି ମଧ୍ୟରୁ ଚେନ୍ନାଇ 13 ଥର ଜିତିଥିବାବେଳେ କୋଲକାତା 8ଥର ବାଜିମାତ କରିଛି। ଗୋଟିଏ ମ୍ୟାଚରେ କୌଣସି ଫଳାଫଳ ମିଳି ପାରିନଥିଲା।
ଚେନ୍ନାଇ ପାଇଁ ଚଳିତ ଆଇପିଏଲ ସିଜିନ କୌଣସି ଖରାପ ସ୍ବପ୍ନଠାରୁ କମ ହୋଇନି। 12ଟି ମ୍ୟାଚରୁ 8ଟି ମ୍ୟାଚରେ ପରାଜୟ ବରଣ କରି ପ୍ଲେ-ଅଫ ରେସରୁ ବାଦ ପଡ଼ିଛି ଚେନ୍ନାଇ। ତେବେ ଅନ୍ୟ ଟିମମାନଙ୍କ ପ୍ଲେ-ଅଫ ଖେଳିବା ନେଇ ଏହି ଟିମ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚେନ୍ନାଇ ପକ୍ଷରୁ ସେନ ୱାଟସନ, ଫାପ ଡୁ ପ୍ଲେସିସ ଓ ସାମ କରନ ଭଲ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଏହାଛଡ଼ା ପୂର୍ବ ମ୍ୟାଚରେ ଋତୁରାଜ ଗାଏକୱାର୍ଡ ମଧ୍ୟ ନିଜ ବ୍ୟାଟିଂ କମାଲ ଦେଖାଇଥିଲେ ।
ଏହାସହ ସାମ କରନ ବୋଲିଂରେ ମଧ୍ୟ ଧାର ଦେଖାଇଛନ୍ତି । ଦଳରେ ଦୀପକ ଚହର ଓ ଶାର୍ଦୁଲ ଠାକୁର ମଧ୍ୟ କେତେକ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଏହି ଦୁଇ ବୋଲର ନିରନ୍ତର ଭଲ ପ୍ରଦର୍ଶନ କରିବାରେ ଫେଲ ମାରିଛନ୍ତି । ଏଭଳି ସ୍ଥିତିରେ ଅଧିନାୟକ ଧୋନୀ ଟୁର୍ଣ୍ଣାମେଣ୍ଟରେ ବାକି ଥିବା ମ୍ୟାଚ ଜିତି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବାକୁ ଚେଷ୍ଟା କରିପାରନ୍ତି । ଟୁର୍ଣ୍ଣାମେଣ୍ଟରେ ହରାଇବାକୁ ଚେନ୍ନାଇ ପାଖରେ ଆଉ କିଛି ନାହିଁ । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ ଅନ୍ୟ ଦଳ ପାଇଁ ବିପଦ ହୋଇପାରେ ।
ସେପଟେ ଆଜି କୋଲକାତା ଏହି ମ୍ୟାଚକୁ ଜିତି ପ୍ଲେ-ଅଫ ଖେଲିବାର ନିକଟର ହେବାକୁ ଚାହିଁବ। ତେବେ ଚଳିତ ସିଜିନରେ କେକେଆର ଦଳରେ ନିୟମିତ ଭାବରେ ଚୁଡ଼ାନ୍ତ ଏକାଦଶ ବଦଳାଇ ଚାଲିଛି । ବ୍ୟାଟିଂ କଥା କହିଲେ କୋଲକାତାର ଶୁଭମନ ଗିଲ ଦଳ ପାଇଁ ନିରନ୍ତର ଭାବରେ ଭଲ ବ୍ୟାଟିଂ କରି ଚାଲିଛନ୍ତି । ତେବେ ତାଙ୍କ ଷ୍ଟ୍ରାଇକ ରେଟ ଏତେଟା ଖାସ ରହିନାହିଁ। ବର୍ତ୍ତମାନ କେକେଆର ଅଧିନାୟକ ଇଅନ ମୋର୍ଗାନ ଛଡ଼ା କେହି ଆଉ ସେଭଳି ଭଲ ବ୍ୟାଟିଂ କରି ନାହାଁନ୍ତି ।
କେକେଆର ବ୍ୟାଟିଂ ଅପେକ୍ଷା ବୋଲିଂରେ ଧାର ଦେଖିବାକୁ ମିଳିଛି। ପ୍ୟାଟ କମିନ୍ସ, ବରୁଣ ଚକ୍ରବର୍ତ୍ତୀ, କମଲେସ ନାଗର କୋଟି ଓ ଶିଭମ ମାଭୀ ଦଳ ପାଇଁ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ସୁନିଲ ନାରୈନଙ୍କ ଉପରେ ଦଳର ନଜର ରହିବ। ଷ୍ଟାର ପ୍ଲେୟାର ଆନ୍ଦ୍ରେ ରସେଲ ଚୁଡ଼ାନ୍ତ ଏକାଦଶ ସାମିଲ ନହେବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
ବର୍ତ୍ତମାନ କୋଲାକାତା ପାଖରେ ଦୁଇଟି ମ୍ୟାଚ ବାକି ରହିଛି। ପ୍ଲେ-ଅଫରେ ପହଞ୍ଚିବା ପାଇଁ କୋଲକାତାକୁ ଦୁଇଟି ଯାକ ମ୍ୟାଚ ଜିତିବାକୁ ପଡ଼ିବ। ସେପଟେ ଚେନ୍ନାଇ ମଧ୍ୟ ଶେଷ ମ୍ୟାଚଗୁଡ଼ିକ ଜିତିବାକୁ ଭରପୁର ପ୍ରୟାସ କରିବ। ଦେଖିବାକୁ ବାକି ରହିଲା ଆଜିର ମ୍ୟାଚରେ କିଏ ଦମ ଦେଖାଉଛି।