ମୁମ୍ବାଇ: ଆଜି ଆଇପିଏଲ ଲଢେଇରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବଲା ହେବ । ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।
ପଏଣ୍ଟ ଦୃଷ୍ଟିରୁ ଆଜିର ମ୍ୟାଚ ଅତି ରୋମାଞ୍ଚକର ହୋଇପାରେ । ଏହି ମ୍ୟାଚକୁ ଜିତି ମୁମ୍ବାଇ ତୃତୀୟ ଦଳ ଭାବେ ପ୍ଲେ-ଅଫରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । 12ଟି ମ୍ୟାଚରୁ 7ଟି ରେ ଦଳକୁ ବିଜୟ ମିଳିଛି । ମୋଟ 14ପଏଣ୍ଟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଦଳର ରନରେଟ (+0.347) ରହିଛି ।
ଯେଉଁ ଦଳ ଆଜିର ମ୍ୟାଚ ଜିତିବ ତା ପାଇଁ ପ୍ଲେ-ଅଫ ରାସ୍ତା ସହଜ ହେବ । କାରଣ ହାଇଦ୍ରାବାଦ ଦଳ 12ମ୍ୟାଚରୁ 6 ବିଜୟ ସହ 12 ପଏଣ୍ଟରେ ରହିଛି । ଦଳର ରନରେଟ (+0.709)ରହିଛି । ଯାହାକି ମୁମ୍ବାଇ ଠାରୁ ଅଧିକ । ଆଜିର ମ୍ୟାଚ ଜିତିଲେ ଦଳର ପଏଣ୍ଟ ସଂଖ୍ୟା 14 ହୋଇଯିବ । ରନରେଟ ଅଧିକ ଥିବାରୁ ହାଇଦ୍ରାବାଦ, ମୁମ୍ବାଇକୁ ହଟାଇ ତୃତୀୟରେ ପହଞ୍ଚିଯିବ ।
ହାଇଦ୍ରାବାଦ ଦଳ ଆଜିର ମ୍ୟାଚ ୱାର୍ଣ୍ଣରଙ୍କ ବିନା ଖେଳିବ । ଅରେଞ୍ଜ କ୍ୟାପ ସହ ୱାର୍ଣ୍ଣର ଅଷ୍ଟ୍ରେଲିଆ ଫେରିଛନ୍ତି । ଚଳିତ ଆଇପିଏଲରେ ହାଇଦ୍ରାବାଦ ସଂଗ୍ରହ କରିଥିବା ମୋଟ ରନର 37 ପ୍ରତିଶତ ୱାର୍ଣ୍ଣରଙ୍କ ନାଁ ରେ ରହିଛି । ଦଳ ତାଙ୍କ ଅନୁପସ୍ଥିତି ନିଶ୍ଚିନ୍ତ ଅନୁଭବ କରିବ । ତାଙ୍କ ସ୍ଥାନରେ ଦଳ ନ୍ୟୁଜିଲାଣ୍ଡ ଖେଳାଳୀ ମାର୍ଟିନ ଗୁପ୍ଟିଲଙ୍କୁ ଖେଳାଇପାରେ ।
ଦଳ ମନିଷ ପାଣ୍ଡେ, କେନ ୱିଲିୟମସନ,ବିଜୟ ଶଙ୍କରଙ୍କ ଉପରେ ନିର୍ଭର କରିବ । ବୋଲିଂ ବିଭାଗରେ ସ୍ପିନର ରସିଦ ଖାନ ବିଶେଷ ସଫଳ ହୋଇନାହାଁନ୍ତି । ତଥାପି ମୁମ୍ବାଇ ବିପକ୍ଷରେ ତାଙ୍କର ରେକର୍ଡ ଭଲ ରହିଛି ।
ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଦଳ ରୋହିତ, ହାର୍ଦ୍ଦିକ, ପୋଲାର୍ଡ, ଇଭେନ ଲୁୱିସଙ୍କ ଉପରେ ନିର୍ଭର କରିବ । ବୋଲିଂ ବିଭାଗରେ ବୁମରା, ମାଲିଙ୍ଗାଙ୍କ ଉପରେ ଦଳ ନିର୍ଭର କରିବ ।