ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବର୍ତ୍ତମାନ ଲାଗି ରହିଥିବା ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଟି-୨୦ ବିଶ୍ବକପରେ ଟିମ ଖେଳିବା ନେଇ ଆଶଙ୍କା ରହିଥିଲା । ମାତ୍ର ଆଫଗାନିସ୍ତାନ ଟିମ ନିଶ୍ଚୟ ଖେଳିବା ବୋଲି ସ୍ପଷ୍ଟ କରିଛି ଦେଶର କ୍ରିକେଟ ବୋର୍ଡ । ଫଟାଫଟ କ୍ରିକେଟର ବିଶ୍ବକପ ପାଇଁ ଟିମ ପ୍ରସ୍ତୁତି ଚଳାଇଛି । ଯେତେବେଳେ ଦୁବାଇରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଖେଳାଯିବ, ଆଫଗାନିସ୍ତାନ ଆକ୍ସନରେ ନଜର ଆସିବ ବୋଲି କହିଛନ୍ତି ଟିମ୍ର ମିଡିଆ ମ୍ୟାନେଜର ।
ଆଫଗାନିସ୍ତାନ କ୍ରିକେଟ ଟିମର ମିଡିଆ ମ୍ୟାନେଜର ହିକମତ ହସନ କହିଛନ୍ତି, ଟିମ ଟି-୨୦ ବିଶ୍ବକପରେ ଅଂଶଗ୍ରହଣ କରିବା ନେଇ କୌଣସି ସନ୍ଦେହ ନାହିଁ । ଏହି ମେଗା ଇଭେଣ୍ଟର ପ୍ରସ୍ତୁତି ପୂର୍ବକ ବୋର୍ଡ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ସହିତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଆୟୋଜନ ପାଇଁ ଯୋଜନା କରୁଛି ।
ଆଗାମୀ ଟି-୨୦ ବିଶ୍ବକପ ଆଫଗାନିସ୍ତାନ ନିଶ୍ଚୟ ଖେଳିବ । ଆସନ୍ତା କିଛି ଦିନ ମଧ୍ୟରେ କାବୁଲରେ ଟିମ ଟ୍ରେନିଂ ଆରମ୍ଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ