କଲମ୍ବୋ: ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ ଅର୍ଜୁନ ରଣତୁଙ୍ଗାଙ୍କୁ ନିଜ ଦେଶର କ୍ରିକେଟ ବୋର୍ଡ ଦେଇଛି ପାଲଟି ଜବାବ । ଶୁକ୍ରବାର ଏକ ଘୋଷଣାନାମା ଜାରି କରିବା ସହ ବୋର୍ଡ ଦର୍ଶାଇଛି ଯେ, 3 ମ୍ୟାଚ ବିଶିଷ୍ଟ ଦିନିକିଆ ଓ ଟି20 ସିରିଜ ଖେଳିବାକୁ ଦ୍ବୀପ ଦେଶ ଗସ୍ତ କରିଥିବା ଭାରତୀୟ ସ୍କ୍ବାଡ କମଜୋର୍ ନୁହେଁ କିମ୍ବା ଦ୍ବିତୀୟ ଟିମ ନୁହେଁ, ବରଂ ବେଶ୍ ଶକ୍ତିଶାଳୀ ।
ଟିମ ଇଣ୍ଡିଆର ମୁଖ୍ୟ ଟିମ ଇଂଲଣ୍ଡ ଗସ୍ତରେ ରହିଛି ଓ ଶ୍ରୀଲଙ୍କା ଆସିଥିବା ଟିମ 'ସେକେଣ୍ଡ ଷ୍ଟ୍ରିଙ୍ଗ' ବୋଲି କହିବା ସହ ବୋର୍ଡକୁ ଗତକାଲି ଆକ୍ଷେପ କରିଥିଲେ ରଣତୁଙ୍ଗା । ଫଳରେ ଏହାର ଜବାବ ରଖିଛି ବୋର୍ଡ ।
ବର୍ତ୍ତମାନର ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଦାୟୀ କରିବା ସହ ଦେଶର କ୍ରିକେଟକୁ କଳଙ୍କିତ କରୁଥିବା ଭଲି ସଙ୍ଗୀନ ଅଭିଯୋଗ ଆଣିଥିଲେ ରଣତୁଙ୍ଗା । ଭାରତ ତାର ଶ୍ରେଷ୍ଠ ଟିମ ଇଂଲଣ୍ଡ ପଠାଇଛି । ମାତ୍ର ଟେଲିଭିଜନ ମାର୍କେଟିଂ ଆବଶ୍ୟକତା ପାଇଁ ଆମର ବୋର୍ଡ ଭାରତ ସହ ଖେଳିବାକୁ ରାଜି ହୋଇଥିବା କହିଥିଲେ ରଣତୁଙ୍ଗା ।
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲଇ 13ରୁ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ପରେ ସମାନ ସଂଖ୍ୟକ ଟି20 ମ୍ୟାଚ ମଧ୍ୟ ଖେଳାଯିବାନେଇ ସୂଚୀ ରହିଛି । ଭାରତୀୟ ଟିମ ଓପନର ଶିଖର ଧାୱନଙ୍କ ନେତୃତ୍ବରେ ଶ୍ରୀଲଙ୍କା ଗସ୍ତ କରିଥିବା ବେଳେ ରାହୁଲ ଦ୍ରାବିଡ ମୁଖ୍ୟ କୋଚ୍ ଭାବେ ଗସ୍ତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ