ଥିରୁଅନନ୍ତପୁରମ: ଘରୋଇ ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ଆଜି (ରବିବାର) ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଆରମ୍ଭ ହୋଇଛି । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ପ୍ରଥମେ ବୋଲିଂ କରିବ ଶ୍ରୀଲଙ୍କା । ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି । ୱାଶିଂଟନ ସୁନ୍ଦର ଓ ସୂର୍ଯ୍ୟକୁମାର ଯାଦବ ଦଳକୁ ଫେରିଛନ୍ତି । ପ୍ରଥମ ଦିନିକିଆ ଓ ଦ୍ବିତୀୟ ଦିନିକିଆରେ ଚୂଡାନ୍ତ ଏକାଦଶରେ ନଥିଲେ ସୂର୍ଯ୍ୟକୁମାର ଯାଦବ । ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ଦୁଇ ମ୍ୟାଚ ଜିତି ଆଗୁଆ ସିରିଜ କବଜା କରିଥିବା ଭାରତୀୟ ଦଳ ଆଜିର ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ସେପଟେ ଟି-ଟ୍ବେଣ୍ଟି ଓ ଦିନିକିଆ ସିରିଜ ହାତେଇବାରେ ବିଫଳ ହୋଇଥିବା ଶ୍ରୀଲଙ୍କା ସମ୍ମାନ ପାଇଁ ମଇଦାନକୁ ଓହ୍ଲାଇଛି । ସାନ୍ତ୍ବନାମୂଳକ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ଶ୍ରୀଲଙ୍କା । ଥିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଷ୍ଚାଡିୟମରେ ମ୍ୟାଚ ଖେଳାଯାଉଛି ।
ପ୍ରଥମ ଦୁଇ ମ୍ୟାଚରେ ଆଧିପତ୍ୟ ବିସ୍ତାର କରି ଆଗୁଆ ଦିନିକିଆ ସିରିଜ କବଜା କରିଛି ରୋହିତବାହିନୀ । ଆଜିର ମୁକାବିଲାରେ ଦଳରେ କିଛି ପରିବର୍ତ୍ତନ ହୋଇଛି । ବିଶେଷ କରି ବ୍ୟାଟିଂ ଲାଇନରେ ପରିବର୍ତ୍ତନ କରିଛି ଦଳ । ୱାଶିଂଟନ ସୁନ୍ଦର ଓ ସୂର୍ଯ୍ୟକୁମାର ଯାଦବ ଏକାଦଶରେ ସାମିଲ ହୋଇଛନ୍ତି । ଚଳିତ ସିରିଜରେ ଭାରତୀୟ ଟପ ଅର୍ଡର ଆଶାନୁପୂପ ପ୍ରଦର୍ଶନ କରିପାରି ନାହିଁ । ଆଗକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏକ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଆଜିର ମୁକାବିଲା ଜିତି ଏକ ମଜବୁତ ସ୍ଥିତିରେ ଆସିବ ଟିମ ଇଣ୍ଡିଆ ।
ଏହା ବି ପଢନ୍ତୁ....ଭାରତକୁ ପେନାଲ୍ଟି କର୍ଣ୍ଣରରୁ ଗୋଲ ହାତେଇବାକୁ ହେବ: ପୂର୍ବତନ ଅଧିନାୟିକା
ଦୁଇଟି ମ୍ୟାଚ ହାରିବା ପରେ ଶ୍ରୀଲଙ୍କା ହାତରୁ ସିରିଜ ହାତଛଡା ହୋଇଛି । ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ କୌଣସି ସିରିଜ ବିଜୟର ସ୍ବାଦ ଚାଖିନାହିଁ । ଆଗକୁ ବିଶ୍ବକପ ରହିଛି । ତେଣୁ ଦଳ ସାନ୍ତ୍ବନାମୂଳକ ବିଜୟ ହାସଲ କରି ଗସ୍ତ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଦଳ ତାର ଏକାଦଶରେ ପରିବର୍ତ୍ତନ କରିଛି ।
ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି,
ଶ୍ରୀଲଙ୍କା ଚୂଡାନ୍ତ ଏକାଦଶ: କୁଶାଲ ମେଣ୍ଡିସ, ଏନ ଫର୍ଣ୍ଣାଣ୍ଡୋ, ଅଭିସ୍କା ଫର୍ଣ୍ଣାଣ୍ଡୋ, ଚାରିଥ ଆଶାଲଙ୍କା, ଏ ବାନ୍ଦ୍ରା, ଡି ଶାଣାକା, ୱାନିନ୍ଦୁ ହାସରଙ୍ଗା, ଚାମିକା କୁରଣାରତ୍ନେ, ଡି ୱାଲେଙ୍ଗେ, ଜେଭେନ୍ଦ୍ରସେ, କସୁନା ରଜିଥା,ଏଲ କୁମାରା ।