ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ୱାଶିଂଟନ ସୁନ୍ଦର 144 ବଲ ଖେଳି ଗୁରୁତ୍ବପୂର୍ଣ୍ଣ 62 ରନ କରିଥିଲେ। ତେବେ ଶତକ ହାସଲ ପୂର୍ବରୁ ଆଉଟ ହୋଇଯିବାରୁ ନିରାଶ ହୋଇଛନ୍ତି ବାପା ଏମ ସୁନ୍ଦର। ଏକ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ଏମ ସୁନ୍ଦର।
ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ଯଥାକ୍ରମେ 62 ଓ 67 ରନ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ଏକ ବଡ଼ ଲିଡ ନେବାରେ ବଞ୍ଚିତ ହୋଇଥିଲା। ଏଥିପାଇଁ ବିଭିନ୍ନ ପୂର୍ବତନ କ୍ରିକେଟର ଦୁହିଁଙ୍କ ପ୍ରଶଂସା କରିଛନ୍ତି। ତେବେ ଏହି ଇଂନିଶରେ ୱାଶିଂଟନ ଶତକ କରିବେ ବୋଲି ଆଶା ରଖିଥିଲେ ଏମ ସୁନ୍ଦର।
ଏହାକୁ ନେଇ ଏମ ସୁନ୍ଦର କହିଛନ୍ତି ଯେ, "ୱାଶିଂଟନର ବ୍ୟାଟିଂ କରିବା କ୍ଷମତା ରହିଛି। ଏତେ ସମୟ ଧୈର୍ଯ୍ୟର ସହ ଖେଳିବା ପରେ ଶତକ କରିବା କଥା। ଯେତେବେଳେ ସିରାଜ ପଡ଼ିଆକୁ ଆସିଲେ ସେହି ସମୟରେ ସେ ବଡ଼ ସଟ ଖେଳି ପାରିଥାନ୍ତେ। ସେ ପୂର୍ବରୁ ଓପେନିଂ ବ୍ୟାଟସମେନ ଭାବରେ ଖେଳି ବହୁ ରନ ସଂଗ୍ରହ କରି ସାରିଛନ୍ତି। ବ୍ୟାଟିଂ କରିବା କୌଶଳ ତା ପାଖରେ ରହିଛି। ଏହି ଇଂନିଶରେ ମୁଁ ତା ଠାରୁ ଶତକ ଆଶା କରୁଥିଲି।"
ଡେବ୍ୟୁ ଟେଷ୍ଟରେ 3ୱିକେଟ ସହ ଅର୍ଦ୍ଧ ଶତକ ହାସଲ କରିବାରେ ୱାଶିଂଟନ ସୁନ୍ଦର ଦ୍ବିତୀୟ ଭାରତୀୟ କ୍ରିକେଟର। ପୂର୍ବରୁ ଦତ୍ତୁ ଫଡକର ଅଷ୍ଟ୍ରେଲିଆ ବିପକ୍ଷରେ ଏହି ରେକର୍ଡ ହାସଲ କରି ସାରିଛନ୍ତି।
@ians