ଆବୁଧାବି: ସିନିୟର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ପୁଣି ଆହତ । ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଛି । ଫଳରେ ଟିମ ଇଣ୍ଡିଆର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଶାହା ଫିଟ ହେବାନେଇ ଆଶଙ୍କା ଦେଖାଦେଇଛି । ତେବେ ଏନେଇ ଚୁଡାନ୍ତ ନିଷ୍ପତ୍ତି ବିସିସିଆଇ ନେବ ।
ବିସିସିଆଇ ମେଡିକାଲ ଟିମର ଫିଜିଓ ନିତିନ ପଟେଲଙ୍କ ରିପୋର୍ଟ ଉପରେ ଶାହାଙ୍କ ଅଷ୍ଟ୍ରେଲିଆ ଗସ୍ତ ନିର୍ଭର କରୁଛି ।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ କ୍ବାଲିଫାୟର 2ମ୍ୟାଚରେ ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର ଟସ ସମୟରେ ରିଦ୍ଧିମାନ ଶାହା ଆହତ ବୋଲି ସ୍ପଷ୍ଟ କରିଥିଲେ ।
ଶାହା ଟିମ ଇଣ୍ଡିଆର ଟେଷ୍ଟ ଟିମର ପ୍ରମୁଖ ୱିକେଟ କିପର ରହିଛନ୍ତି । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ ଟିମ ଇଣ୍ଡିଆର ଟେଷ୍ଟ ଟିମରେ ଶାହାଙ୍କ ନାମ ରହିଛି । ତେବେ ଆହତର ମାତ୍ରା ଏଯାବତ ସ୍ପଷ୍ଟ ହୋଇନାହିଁ । ସାମାନ୍ୟ ହୋଇଥିଲେ 4 ସପ୍ତାହ ବିଶ୍ରାମ ପରେ ଅଷ୍ଟ୍ରେଲିଆ ଗସ୍ତ କରିପାରନ୍ତି, ମାତ୍ର ଆହତ ମାତ୍ର ଅଧିକ ହୋଇଥିଲେ ଅତିକମରେ ସୁସ୍ଥ ହେବାପାଇଁ ଦୁଇ ମାସ ସମୟ ଲାଗିବ ।
ଅନ୍ୟପଟେ ଡିସେମ୍ବର 17ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଏପରି ସ୍ଥିତିରେ ଦିନିକିଆ ଓ ଟି-20 ସ୍କ୍ବାଡରେ ଥିବା ଋଭଭ ପନ୍ତ ଓ ସଞ୍ଜୁ ସାମସନଙ୍କୁ ଟେଷ୍ଟ ଟିମରେ ସାମିଲ କରାଯିବାର ସମ୍ଭାବନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ