ଲଣ୍ଡନ: ଅଗଷ୍ଟ 4ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ । ଏହି ସିରିଜରୁ ବିଶ୍ବ ଟେଷ୍ଟ ଚମ୍ପିଆନସିପ(WTC) ର ଦ୍ବିତୀୟ ସଂସ୍କରଣ ଆରମ୍ଭ ହେବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଅଗଷ୍ଟ 4ରୁ ପ୍ରଥମ ଟେଷ୍ଟ ଖେଳାଯିବ । ପରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚଳିତ ବର୍ଷ ଶେଷ ଭାଗରେ 5ଟିକିଆ ଟେଷ୍ଟ ଖେଳାଯିବ । ଏକ ରିପୋର୍ଟ ଅନୁଯାୟୀ, ଦ୍ବିତୀୟ WTC ପ୍ରତିଯୋଗିତାରେ ଏହି ଦୁଇଟି ସିରିଜ ରହିଛି ।
ବିଶ୍ବ ଟେଷ୍ଟ ଚମ୍ପିଆନସିପର ଦ୍ବିତୀୟ ସଂସ୍କରଣରେ ସବୁଠୁ ଅଧିକ ଟେଷ୍ଟ ଖେଳିବ ଇଂଲଣ୍ଡ । ଭାରତ 19ଟି, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା 15ଟି ଲେଖାଏଁ ଟେଷ୍ଟ ଖେଳିବେ ।
ପ୍ରତ୍ୟେକ ଟେଷ୍ଟକୁ ସମାନ ପଏଣ୍ଟ ଦେବାକୁ ଆଇସିସି ନିଷ୍ପତ୍ତି ନେଇଥିବାବେଳେ, ମ୍ୟାଚ ଟାଇ ହେଲେ ଉଭୟ ଟିମକୁ 6 ପଏଣ୍ଟ ଓ ଡ୍ରରେ ଶେଷ ହେଲେ 4 ପଏଣ୍ଟ ଲେଖାଏଁ ମିଳିବ । ଗୋଟିଏ ଟେଷ୍ଟ ବିଜୟରେ ବିଜେତା ଟିମକୁ 12 ପଏଣ୍ଟ ମିଳିବ । ସେହିପରି ନିର୍ଦ୍ଧାରିତ ସମୟ ଠାରୁ ଧୀମା ବୋଲିଂ ପାଇଁ ଉକ୍ତ ଟିମକୁ ଗୋଟିଏ ପଏଣ୍ଟ ହରାଇବାକୁ ପଡିବ ।
ପ୍ରଥମ ସଂସ୍କରଣରେ ପ୍ରତ୍ୟେକ ସିରିଜରେ 120 ପଏଣ୍ଟ ରହିଥିଲା । ଏହି ଦୁଇ ଟିକିଆ କିମ୍ବା 5 ଟିକିଆ ହେଉ ପଏଣ୍ଟ ସମାନ ରହୁଥିଲା, ଫଳରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଫଳରେ ଦ୍ବିତୀୟ ସଂସ୍କରଣରେ ବିଜେତା ଟିମକୁ ଗୋଟିଏ ଟେଷ୍ଟ ବିଜୟ ପାଇଁ 12 ପଏଣ୍ଟ ମିଳିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ