ହାଇଦ୍ରାବାଦ: ବିଶ୍ବକପ୍ ୨୦୨୩ରେ ଭାରତ ଏହାର ଦ୍ବିତୀୟ ମ୍ୟାଚ୍ ଆଫଗାନିସ୍ତାନ ବିପକ୍ଷରେ ଖେଳୁଛି । ତେବେ ଟିମ୍ ଇଣ୍ଡିଆ ଏହାର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଡେଙ୍ଗୁ ଆକ୍ରାନ୍ତ ହୋଇ ଟିମ୍ ମ୍ୟାନେଜ୍ମେଣ୍ଟ ତଥା ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଥିଲେ ଦଳର ଷ୍ଟାର ଓପନର ଶୁଭମନ ଗିଲ । ତେବେ ଗିଲ୍ଙ୍କ ସଦ୍ୟତମ ସ୍ବାସ୍ଥ୍ୟ ରିପୋର୍ଟ ପ୍ରଶଂସକଙ୍କୁ କିଛିମାତ୍ରାରେ ଆଶ୍ବସ୍ତ କରିବ । କାରଣ ଏହି ରିପୋର୍ଟ ଅନୁସାରେ ଗିଲ୍ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦରେ ଦଳ ସହ ଯୋଗଦେବେ ।
ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଗିଲ୍ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ସେ ଡେଙ୍ଗୁରେ ପୀଡ଼ିତ ଥିବା ଖବର ସାମ୍ନାକୁ ଆସିଥିଲା । ଫଳରେ ସେ ବିଶ୍ବକପ୍ ୨୦୨୩ରେ ଭାରତର ପ୍ରଥମ ମ୍ୟାଚ୍ ଖେଳି ପାରିନଥିଲେ । ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଥିଲା ଏବଂ ରକ୍ତରୁ ପ୍ଲେଟ୍ଲେଟ୍ର ପରିମାଣ ହ୍ରାସ ପାଇଥିବାରୁ ସେ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ । ଫଳରେ ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ମଧ୍ୟ ସେ ଅନୁପସ୍ଥିତ ରହିଲେ । କ୍ରମଶଃ ଦୁର୍ବଳ ହୋଇପଡ଼ିବାରୁ ସେ ଅକ୍ଟୋବର ୧୯ରେ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍ ମଧ୍ୟ ଖେଳିପାରିବେ ନାହିଁ ବୋଲି କୁହାଯାଉଥିଲା । ହେଲେ ଏହି ସବୁ ଚର୍ଚ୍ଚାରେ ଆଜି ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼଼ିଛି ।
ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଚିକିତ୍ସା ପାଇଁ ଅହମ୍ମଦାବାଦ ଯିବେ ଶୁଭମନ ଗିଲ
ବିସିସିଆଇର ଜଣେ ଅଧିକାରୀ ଇଟିଭି ଭାରତକୁ କହିଛନ୍ତି, "ଗିଲ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଦଳ ସହ ଅହମ୍ମଦାବାଦ ଯାତ୍ରା କରିବେ ଏବଂ ପାକିସ୍ତାନ ମ୍ୟାଚ୍ରେ ସେ ଦଳ ସହ ଉପସ୍ଥିତ ରହିବେ । ଅକ୍ଟୋବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଗିଲ୍ ବର୍ତ୍ତମାନ ସୁସ୍ଥ ହୋଇଥିବାରୁ ଚେନ୍ନାଇରୁ ସିଧା ସଳଖ ଅହମ୍ମଦାବାଦ ଗସ୍ତ କରିବେ ।" ଯଦି ଗିଲ୍ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ନ୍ତି, ତେବେ ତାଙ୍କ ବଦଳରେ ଅନ୍ୟ କେଉଁ ବ୍ୟାଟରଙ୍କୁ ସ୍ଥାନ ଦେବାକୁ ବୋର୍ଡ ଚିନ୍ତା କରୁଛି କି ବୋଲି ପଚରାଯିବାରୁ ସେ ଏପରି କୌଣସି ସମ୍ଭାବନାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, "ବର୍ତ୍ତମାନ ପାଇଁ ସେଭଳି କୌଣସି ସ୍ଥିତି ନାହିଁ । ଗିଲ୍ ଏବେ ସୁସ୍ଥ ଅଛନ୍ତି ଏବଂ ଖୁବଶୀଘ୍ର ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ । ଖୁବଶୀଘ୍ର ସେ ଦଳରେ ଖେଳିବାକୁ ଯାଉଛନ୍ତି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ