ହାଇଦ୍ରାବାଦ: ଚଳିତ ବର୍ଷ ବିଶ୍ବକପ୍ ଆରମ୍ଭ ହେବା ପୂର୍ବରୁ ହିଁ ସବୁକିଛି ଓଲଟପାଲଟ ହୋଇଯାଇଛି । ବିଶ୍ବକପ୍ ୨୦୨୩ ପୂର୍ବରୁ ୨ ଥର ବିଶ୍ବ ବିଜେତା ୱେଷ୍ଟଇଣ୍ଡିଜ ଟିମ୍କୁ ଲାଗିଛି ବଡ଼ ଝଟକା । ଚଳିତ ବର୍ଷ ବିଶ୍ବକପରୁ ବାଦ୍ ପଡ଼ିଛି ୱେଷ୍ଟଇଣ୍ଡିଜ୍ ଟିମ୍ । ବିଶ୍ବ କ୍ରିକେଟ୍ରେ ପାଖାପାଖି ୩୦ ବର୍ଷ ରାଜ୍ କରିଥିବା ୱେଷ୍ଟଇଣ୍ଡିଜ ଟିମ୍ ୨ ଥର ବିଶ୍ବକପ ଜିତିବାରେ ସଫଳ ହୋଇଥିଲା । ହେଲେ ପ୍ରଥମ ଥର ପାଇଁ ଏହି ଦଳ ବିଶ୍ବକପ୍ ଖେଳିବ ନାହିଁ । ଯାହା କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି ।
ବିଶ୍ବକପ୍ ୨୦୨୩ ପାଇଁ ଜିମ୍ବାୱେ ଠାରେ ଅନୁଷ୍ଠିତ ହୋଇଛି ଆଇସିସି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ । ଯୋଗ୍ୟତା ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜର ପ୍ରଦର୍ଶନ ବହୁତ ଶୋଚନୀୟ ରହିଥିଲା । ପୂର୍ବରୁ ଏହି ଚମ୍ପିଆନ ଦଳ ଜିମ୍ବାୱେ ଓ ଅନ୍ୟ କେତେକ ନୂଆ ଦଳଠାରୁ କ୍ରମାଗତ ଭାବେ ହାରିଥିଲା । ଏପରିକି ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍ରେ ୩୭୪ ରନ କରି ମଧ୍ୟ ସୁପର ଓଭରରେ ହାରିଯାଇଥିଲା । ତେବେ ଶନିବାର ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ସ୍କଟଲ୍ୟାଣ୍ଡ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି । ଫଳରେ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରୁ ହିଁ ଘରକୁ ଫେରିଛି ୱେଷ୍ଟଇଣ୍ଡିଜ । ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ କ୍ରିକେଟ ଦଳ ପ୍ରଥମ ଥର ପାଇଁ ଏକଦିବସୀୟ ବିଶ୍ବକପ୍ ମୁକାବିଲାରେ ଅଂଶଗ୍ରହଣ କରିବ ନାହିଁ ।
ଏହା ମଧ୍ୟ ପଢ଼ନ୍ତୁ...ଟିମ ଇଣ୍ଡିଆର ମୁଖ୍ୟ ପ୍ରାୟୋଜକରୁ ହଟିଲା BYJU's , ସ୍ଥାନ ନେଲା Dream11
ଜିମ୍ବାୱେରେ ଅନୁଷ୍ଠିତ ଆଇସିସି ବିଶ୍ବକପ୍ ୨୦୨୩ ଯୋଗ୍ୟତା ପର୍ଯ୍ୟାୟର ସୁପର-ସିକ୍ସ ରାଉଣ୍ଡରେ ସ୍କଟ୍ଲାଣ୍ଡ ଦଳ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି । ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଂ କରି ସ୍କଟଲ୍ୟାଣ୍ଡକୁ ୧୮୨ ରନର ବିଜୟଲକ୍ଷ୍ୟ ଦେଇଥିଲା । ଯାହାକୁ ସ୍କଟଲ୍ୟାଣ୍ଡ ୩୯ ବଲ ବାକି ଥାଇ ହାସଲ କରି ନେଇଥିଲା । ଏହି ପରାଜୟ ସହ ୱେଷ୍ଟଇଣ୍ଡିଜ୍ ଦଳ ଚଳିତ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପରୁ ବାଦ୍ ପଡ଼ିଛି । ୪୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦୁଇଥରର ବିଶ୍ବ ଚମ୍ପିଆନ୍ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍ ଖେଳିବ ନାହିଁ । ତେବେ ୧୯୭୫ ଓ ୧୯୭୯ରେ ୱେଷ୍ଟ୍ଇଣ୍ଡିଜ୍ ଦଳ ବିଶ୍ବକପ୍ ଜିତିଥିଲା । ଏହାପରେ ୧୯୮୩ରେ ଫାଇନାଲରେ ମଧ୍ୟ ପହଞ୍ଚି ରନର୍ସ ଅପ୍ ରହିଥିଲା । କେବଳ ଏକଦିବସୀୟ ନୁହେଁ, ୱେଷ୍ଟ୍ଇଣ୍ଡିଜ୍ ୨ଥର ଟି୨୦ ବିଶ୍ବକପ ମଧ୍ୟ ଜିତିଛି । ବିଶ୍ବକପ ଇତିହାସରେ ଅଷ୍ଟ୍ରେଲିଆ ପରେ ୱେଷ୍ଟ୍ଇଣ୍ଡିଜ୍କୁ ସବୁଠାରୁ ଅଧିକ ସଫଳ ହୋଇଥିବା କ୍ରିକେଟ ଟିମ୍ ବୋଲି ବିବେଚନା କରାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ