ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷରେ ଏକ ମାତ୍ର ଦିବାରାତ୍ର ଟେଷ୍ଟ ମ୍ୟାଚ୍ରୁ ବାଦ୍ ପଡ଼ିଲେ ହରମନପ୍ରୀତ କୌର । ଏହାକୁ ନେଇ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ମିତାଲି ରାଜ୍ ସୂଚନା ଦେଇଛନ୍ତି । ଭାରତୀୟ ମହିଳା ଦଳ ପାଇଁ ଏହା ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ । ତେବେ ଆହତଜନିତ ସମସ୍ୟା ଯୋଗୁଁ ହରମନପ୍ରୀତ କୌର ଏହି ମ୍ୟାଚରେ ମଧ୍ୟ ଖେଳିବେ ନାହିଁ ।
ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍ରେ ମଧ୍ୟ ହରମନପ୍ରୀତ ଗୋଟିଏ ବି ମ୍ୟାଚ ଖେଳିନଥିଲେ । ସେପଟେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚକୁ ନେଇ ଭାରତୀୟ ମହିଳା ଦଳ ଉତ୍ସାହିତ ହୋଇ ରହିଛି । ପ୍ରଥମ ସେସନରେ ଭାରତ ପାଇଁ ସେତେଟା ସମସ୍ୟା ହେବ ନାହିଁ । କିନ୍ତୁ ରାତି ହେବାପରେ ପିଙ୍କ ବଲ୍ରେ ଖେଳିବା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କହିଛନ୍ତି ଅଧିନାୟିକା ମିତାଲି ରାଜ୍ ।
ଦିନିକିଆରେ ସିରିଜରେ ଭାରତୀୟ ବୋଲର ଯେଭଳି ବୋଲିଂ କରିଛନ୍ତି, ତାହାକୁ ନେଇ ଆଶ୍ବସ୍ତ ଅଛନ୍ତି ମିତାଲି । ସେ କହିଛନ୍ତି ଯେ, "ଅଭିଜ୍ଞ ଝୁଲଣ ଗୋସ୍ବାମୀଙ୍କ ସହ ବୋଲରମାନେ ଅଧିକ ସମୟ ବିତାଉଛନ୍ତି । ଟେଷ୍ଟ ମ୍ୟାଚରେ ବୋଲିଂକୁ ନେଇ ବୋଲରେମାନେ ଆତ୍ମବିଶ୍ବାସରେ ଭରି ରହିଛନ୍ତି । କାରଣ ଦିନିକିଆରେ ଭାରତୀୟ ବୋଲରମାନେ ବିପକ୍ଷ ଦଳର ୮କୁ ୯ ୱିକେଟ ନେବାରେ ସକ୍ଷମ ହୋଇଥିଲେ । ତେବେ ଟେଷ୍ଟ ମ୍ୟାଚରେ ମଧ୍ଯ ଆମେ ଅଷ୍ଟ୍ରେଲିଆର ସମସ୍ତ ବ୍ୟାଟରଙ୍କୁ ଆଉଟ କରିବାକୁ ଚେଷ୍ଟା କରିବୁ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ