ହାଇଦ୍ରାବାଦ: ଆସନ୍ତା ଜୁନ୍ ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ୍ ଚମ୍ପିଆନ୍ସିପ୍ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ତେବେ ଭାରତୀୟ ଚୂଡ଼ାନ୍ତ ଏକାଦଶ କିଭଳି ରହିବ, ସେନେଇ ଏବେଠାରୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ବିଶେଷ କରି ୱିକେଟରକ୍ଷକ ଦାୟିତ୍ବ କିଏ ତୁଲାଇବ, ସେନେଇ ଉଠିଛି ପ୍ରଶ୍ନ । ଋଷଭ ପନ୍ତ ଓ କେଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ବର୍ତ୍ତମାନ ଭାରତୀୟ ଦଳରେ ଦୁଇ ଜଣ ୱିକେଟରକ୍ଷକ ବ୍ୟାଟର୍ କେଏସ୍ ଭରତ ଓ ଈଶାନ କିଶାନ ସାମିଲ ରହିଛନ୍ତି । ଉଭୟ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ରେ ଅନଭିଜ୍ଞ ଥିବାରୁ, କାହାକୁ ନେଇ ଭାରତ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବ, ସେନେଇ ଚର୍ଚ୍ଚା ଜୋର ଧରିଛି ।
କେଏସ୍ ଭରତ ଚଳିତ ୨୦୨୩ ଫେବୃଆରିରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିରେ ପଦାର୍ପଣ କରିଥିଲେ । ଯଦିଓ ସେ ଏହି ଶୃଙ୍ଖଳାର ସମସ୍ତ ୪ ଟେଷ୍ଟ୍ ଖେଳିଥିଲେ, ହେଲେ ସେଭଳି ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ । ଅନ୍ୟପକ୍ଷରେ ଈଶାନ କିଶାନ ଏବେ ମଧ୍ୟ ଟେଷ୍ଟ୍ ପଦାର୍ପଣ କରିନାହାନ୍ତି । ତେଣୁ ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି, "ଭାରତୀୟ ଦଳ କେଉଁ ୱିକେଟରକ୍ଷକଙ୍କୁ ଖେଳାଇବ, ତାହା ବୋଲିଂ ସମନ୍ବୟ ଉପରେ ନିର୍ଭର କରିବ । ଭରତ ଯଦି ୨ ଜଣିଆ ସ୍ପିନ୍ ବୋଲରଙ୍କ ସହ ଖେଳିବ, ତେବେ ନିଶ୍ଚିତ ଭାବେ ଭରତଙ୍କୁ ସୁଯୋଗ ମିଳିବ । ଦଳ ଯଦି ୪ ଜଣିଆ ପେସରଙ୍କୁ ନେଇ ଖେଳିବ, ତେବେ ଏହା କିଶାନଙ୍କ ସପକ୍ଷରେ ଯିବ ।" ଗତ ବିଶ୍ବ ଟେଷ୍ଟ୍ ଚମ୍ପିଆନ୍ସିପ୍ ଫାଇନାଲରେ ଇଂଲଣ୍ଡର ସାଉଥାମ୍ପଟନ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨ ଜଣ ସ୍ପିନର ଓ ୩ ଜଣ ପେସରଙ୍କୁ ନେଇ ଖେଳିଥିଲା । କିନ୍ତୁ ବର୍ଷା କାରଣରୁ ସ୍ପିନର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେପଟେ ୫ ଜଣ ସିମରଙ୍କୁ ନେଇ ଖେଳୁଥିବା ନ୍ୟୁଜିଲାଣ୍ଡ୍ ଚମ୍ପିଆନ୍ ହୋଇଥିଲା । ସେତେବେଳେ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ ।
ତେବେ ପୂର୍ବ ରେକର୍ଡ ଦେଖିଲେ ଓଭାଲରେ ସ୍ପିନ୍ରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଓଭାଲ ପିଚ୍ ପେସରଙ୍କ ଅପେକ୍ଷା ସ୍ପିନରଙ୍କୁ ଅଧିକ ସୁହାଇବ ବୋଲି ଅଷ୍ଟ୍ରେଲିଆର ସହକାରୀ ପ୍ରଶିକ୍ଷକ ଡାନିଏଲ୍ ଭିଟୋରୀ ପ୍ରକାଶ କରିଛନ୍ତି । ରବି ଶାସ୍ତ୍ରୀଙ୍କ ମତରେ ରବିଚନ୍ଦ୍ରନ ଅଶ୍ବିନ ଏବଂ ଉମେଶ ଯାଦବଙ୍କ ମଧ୍ୟରୁ ଚୂଡ଼ାନ୍ତ ଏକାଦଶରେ ଜଣେ ରହିବେ ।
ରବି ଶାସ୍ତ୍ରୀଙ୍କ ପସନ୍ଦର ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା, କେଏସ୍ ଭରତ (ୱିକେଟ ରକ୍ଷକ), ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର, ରବିଚନ୍ଦ୍ରନ ଅଶ୍ବିନ/ଉମେଶ ଯାଦବ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ