ହାଇଦ୍ରାବାଦ: ବିଶ୍ବକପ୍ ୨୦୨୩ ଲିଗ୍ ପର୍ଯ୍ୟାୟରେ ଏକମାତ୍ର ଦଳ ଭାବେ ତ୍ରୁଟିଶୂନ୍ୟ ପ୍ରଦର୍ଶନ କରି ସେମିରେ ପ୍ରବେଶ କରିଥିବା ଭାରତୀୟ ଦଳ ଏଥର ବିଶ୍ବକପ୍ ଟାଇଟଲ ହାତେଇବା ପାଇଁ ସମସ୍ତଙ୍କର ପ୍ରଥମ ପସନ୍ଦ । ଦଳର ପ୍ରଦର୍ଶନରେ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ବେଶ ଖୁସି ପ୍ରକାଶ କରିଛନ୍ତି । ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ୁଥିବା ପୂର୍ବତନ କ୍ରିକେଟର ଆଝାରୁଦ୍ଦିନ ଭାରତ ଏଥର ବିଶ୍ବକପ୍ ଜିତିବା ପାଇଁ ଦୃଢ଼ ଦାବିଦାର ବୋଲି କହିଛନ୍ତି । ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଆଝାରୁଦ୍ଦିନ ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏଭଳି ଦାବି କରିଛନ୍ତି ।
୧୯୯୨, ୧୯୯୬ ଏବଂ ୧୯୯୯ ଦିନିକିଆ ବିଶ୍ବକପ୍ରେ ଭାରତର ନେତୃତ୍ବ ନେଇଥିଲେ ମହମ୍ମଦ ଆଝାରୁଦ୍ଦିନ । ସେ ଭାରତ ପାଇଁ ୩୩୪ ଦିନିକିଆ ମ୍ୟାଚ୍ ଖେଳି ୯,୩୭୮ ରନ କରିଛନ୍ତି । ୨୨୯ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ସେ ୧୫,୮୫୫ ରନ୍ ସଂଗ୍ରହ କରିଛନ୍ତି । ଦେଶ ପାଇଁ ୯୯ ଟେଷ୍ଟ ମ୍ୟାଚ୍ ଖେଳିଥିବା ୬୦ ବର୍ଷୀୟ ଆଝାରୁଦ୍ଦିନ କହିଛନ୍ତି, "ସେମାନଙ୍କ ପାଖରେ ଏକ ସନ୍ତୁଳିତ ଦଳ ରହିଛି । ବ୍ୟାଟିଂ, ଫିଲ୍ଡିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ କରୁଛନ୍ତି । ତେଣୁ ସବୁ ବିଭାଗରେ ଭଲ ପ୍ରଦର୍ଶନ କରୁଥିବା ଭାରତ ଏଥର ବିଶ୍ବକପ୍ ଜିତିବାର ସବୁଠାରୁ ବଡ଼ ଦାବିଦାର ।"
ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍ ୨୦୨୩: 'ସେମିଫାଇନାଲରେ ଲୟ ରଖି ଦଳଗତ ପ୍ରଦର୍ଶନ ଦେଲେ ଫାଇନାଲ ଖେଳିବ ଭାରତ'
ଲିଗ୍ ପର୍ଯାୟରେ ଭାରତ ପାଇଁ ଦଳର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ । ଆବଶ୍ୟକ ସମୟରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ଷ୍ଟାର୍ ବ୍ୟାଟରଙ୍କ ବ୍ୟତୀତ ଶୁଭମନ ଗିଲ୍, ଶ୍ରେୟସ୍ ଆୟର, କେଏଲ୍ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଯୁବ ଖେଳାଳିମାନେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି । ଦଳର ବୋଲିଂ ଆକ୍ରମଣ ମଧ୍ୟ ବେଶ ପ୍ରତିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ଫଳରେ ଲିଗ୍ ପର୍ଯ୍ୟାୟରେ ସମସ୍ତ ୯ ମ୍ୟାଚ୍ ଜିତି ଏକମାତ୍ର ଦଳ ଭାବେ ଅପରାଜେୟ ହୋଇ ଅଭିଯାନ ଶେଷ କରିଛି ଭାରତ । ନଭେମ୍ବର ୧୫ (ବୁଧବାର) ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ଲିଗ୍ ପର୍ଯ୍ୟାୟରେ ସର୍ବାଧିକ ୯ ମ୍ୟାଚ୍ ଜିତିଥିବା ଭାରତକୁ ଏହି ଗୋଟିଏ ବିଜୟ ସିଧାସଳଖ ଫାଇନାଲକୁ ନେଇଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ