ହାଇଦ୍ରାବାଦ: କ୍ରିକେଟ୍ ବିଶ୍ବକପ୍ ୨୦୨୩ରେ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହୋଇଛନ୍ତି ନେଦରଲାଣ୍ଡ୍ସ ଓ ପାକିସ୍ତାନ । ଦୀର୍ଘ ୭ ବର୍ଷ ପରେ ଭାରତରେ ଖେଳୁଥିବା ପାକିସ୍ତାନର ଅଧିକାଂଶ ବ୍ୟାଟରଙ୍କ ବ୍ୟାଟ୍ ଆଜି ଚାଲିନଥିଲା । ତଥାପି ଏକ ବଡ଼ ସ୍କୋର ଲକ୍ଷ୍ୟରେ ରହିଥିବା ପାକିସ୍ତାନ ନେଦରଲାଣ୍ଡ୍ସର ବେସ୍ ଡିଲାଏଡଙ୍କ ଘାତକ ବୋଲିଂ ଆଗରେ ୨୮୬ ରନ୍ରେ ଅଲ୍ ଆଉଟ୍ ହୋଇଛି । ତେବେ ପାକିସ୍ତାନ ଭଳି ଏକ ବୋଲିଂ ପ୍ରମୁଖ ଦଳ ବିପକ୍ଷରେ ୨୮୭ ରନ୍ର ପିଛା କରିବା ନେଦରଲାଣ୍ଡ୍ସ ପାଇଁ ଏତେ ସହଜ ହେବନାହିଁ ।
ଆଜି ଟସ୍ ଜିତି ପ୍ରଥମେ ପାକିସ୍ତାନକୁ ବ୍ୟାଟିଂ ନିମନ୍ତ୍ରଣ କରିଥିଲେ ନେଦରଲାଣ୍ଡ୍ସର ଅଧିନାୟକ ସ୍କଟ୍ ଏଡ୍ୱାର୍ଡ୍ସ । ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ ଏତେ ଭଲ ହୋଇନଥିଲା । ଉଭୟ ଓପନର ଫଖର ଜମାନ ଓ ଇମାମ୍ ଉଲ୍ ହକ୍ କେବଳ 12 ଓ 15 ରନ କରି ପାଭିଲିୟନ ଫେରିଯାଇଥିଲେ । ଏହାପରେ ଦଳ ସବୁଠାରୁ ଅଧିକ ନିର୍ଭର କରୁଥିବା ଅଧିନାୟକ ବାବର ଆଜମ କେବଳ ୫ ରନ କରି ପାଭିଲିୟନ ଫେରିଥିଲେ । ହେଲେ ଏହାପରେ ମହମ୍ମଦ ରିଜ୍ୱାନ ଓ ସାଉଦ ଶକିଲ ଦଳର ପରିସ୍ଥିତିକୁ ବୁଝି ବ୍ୟାଟିଂ କରିଥିଲେ । ଉଭୟ ନେଦରଲାଣ୍ଡ୍ସ ବୋଲରଙ୍କୁ ଭଲ ଭାବେ ଖେଳିବାରେ ସକ୍ଷମ ହୋଇଥିଲେ ଏବଂ ଉଭୟ ୬୮ ରନ ଲେଖାଏଁ କରି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ । ଏମାନଙ୍କ ବ୍ୟତୀତ ମହମ୍ମଦ ନୱାଜ ଓ ଶଦାବ ଖାନ ଯଥାକ୍ରମେ ୩୯ ଓ ୩୨ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ । ଫଳରେ ଏକ ବଡ଼ ସ୍କୋର ଲକ୍ଷ୍ୟରେ ରହିଥିବା ପାକିସ୍ତାନ ୨୮୬ ରନ୍ରେ ଅଲ୍ଆଉଟ୍ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...World Cup 2023: 7 ବର୍ଷ ପରେ ଭାରତରେ ଖେଳିବ ପାକିସ୍ତାନ, ନେଦରଲାଣ୍ଡସ ସହ ମୁକାବିଲା
ଅନ୍ୟପଟେ ନେଦରଲାଣ୍ଡ୍ସ ପକ୍ଷରୁ ଅଭିଜ୍ଞ ବୋଲର ବେସ୍ ଡିଲାଏଡଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଏକାକୀ ୪ଟି ବହୁମୂଲ୍ୟ ୱିକେଟ୍ ନେବାରେ ସଫଳ ହୋଇଥିଲେ ସେ । ତାଙ୍କ ବ୍ୟତୀତ କଲିନ୍ ଅକର୍ମାନ୍ ୨ଟି ୱିକେଟ୍ ନେଇଥିବାବେଳେ ଆର୍ଯ୍ୟାନ ଦୂତ୍ତ, ଲୋଗାନ ଭାନ୍ବିକ୍ ଓ ପୌଲ୍ ଭାନ୍ ମେକେରନ୍ ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ । ତେବେ ପାକିସ୍ତାନ ଭଳି ବୋଲିଂ ପ୍ରମୁଖ ଦଳ ଆଗରେ ୨୮୭ ରନର ପିଛା କରିବା ନେଦରଲାଣ୍ଡ୍ସ ପାଇଁ ସହଜ ହୋଇନପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ