ଅହମ୍ମଦାବାଦ: ଗୁଜରାଟ ଅହମ୍ମଦାବାଦର ଉପକଣ୍ଠରେ ଥିବା ମୋଟେରା (ନରେନ୍ଦ୍ର ମୋଦି ଷ୍ଟାଡିୟମ) ବିଶ୍ବର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍, ଯେଉଁଠାରେ 1 ଲକ୍ଷ ୩୨ ହଜାର ଦର୍ଶକଙ୍କ ବସିବାର ସୁବିଧା ରହିଛି । କିଛିଘଣ୍ଟା ପରେ ଏହି ଠାରୁ ବାଜିବ ଦିନିକିଆ କ୍ରିକେଟ୍ର ମହାକୁମ୍ଭ ବିଶ୍ବକପ୍ ୨୦୨୩ ବିଗୁଲ । ତେବେ ଆସନ୍ତା ୧୪ ତାରିଖରେ ଏହିଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବ, ସେତେବେଳେ ସମଗ୍ର ବିଶ୍ବର ନଜର ଏହି ଐତିହାସିକ ଷ୍ଟାଡିୟମ ଉପରେ ରହିବ ।
ଯଦିଓ ଏହି ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀଙ୍କ ମ୍ୟାଚ୍ ସମୟରେ ଉଭୟ ଦେଶର ଖେଳାଳିଙ୍କ ଉପରେ ଚାପ ଅଧିକ ଥାଏ, ଏଥର କିନ୍ତୁ ଚାପ ଟିକିଏ ଅଧିକ ରହିବ । ଭାରତ ଘରୋଇ ସମର୍ଥକଙ୍କ ଆଗରେ ପାକିସ୍ତାନ ଠାରୁ ହାରିଯିବା ଭୟରେ ଖେଳିବାକୁ ଯାଉଥିବାବେଳେ ଦୀର୍ଘଦିନ ପରେ ଭାରତରେ ଏତେ ବଡ଼ ଷ୍ଟାଡିୟମରେ ଖେଳିବାକୁ ଯାଉଥିବା ପାକିସ୍ତାନ ଅଧିକ ଚାପରେ ରହିବ । କାରଣ ଷ୍ଟାଡିୟମରେ ଥିବା ୧ ଲକ୍ଷ ୩୨ ହଜାର ଦର୍ଶକଙ୍କ ମଧ୍ୟରୁ ଅଧିକାଂଶ ଭାରତକୁ ସମର୍ଥନ କରୁଥିବେ । ଏହାବାଦ ଏହି ହାଇପ୍ରୋଫାଇଲ ମ୍ୟାଚ୍ରେ ସେଠାକାର ପୋଲିସ ପାଇଁ ସୁରକ୍ଷା ଦାୟିତ୍ବ ଏକ କଠିନ ଟାସ୍କ ହୋଇପଡ଼ିଛି । ଗୋଟିଏ ସୀମାରେଖାରେ ୧ ଲକ୍ଷ ୩୨ ହଜାର ଦର୍ଶକଙ୍କୁ ଆୟତ୍ତ କରିବା ଏତେ ସହଜ ହେବନାହିଁ ।
ପୂର୍ବରୁ ଏହି ଷ୍ଟାଡିୟମ ଖେଳ ଜଗତର ଏକ କୋଣରେ ପଡ଼ି ରହିଥିଲା । ସେତେବେଳେ ମଧ୍ୟ ଏହି ଷ୍ଟାଡିୟମରେ କିଛି ଐତିହାସିକ ମ୍ୟାଚ୍ ଖେଳାଯାଇଥିଲା । ୧୯୮୭ ମାର୍ଚ୍ଚ ୭ ତାରିଖରେ ଏଠାରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ଭାରତୀୟ କିମ୍ବଦନ୍ତୀ ବ୍ୟାଟର ନିଜ ଟେଷ୍ଟ କ୍ୟାରିୟରର ୧୦ ହଜାର ରନ ପୂରଣ କରିଥିଲେ । ଏହା ଏପରି ଏକ କୀର୍ତ୍ତିମାନ ଥିଲା, ଯାହାକୁ ମହାନ କ୍ରିକେଟର ଡନ ବ୍ରଡ୍ମ୍ୟାନ୍ ମଧ୍ୟ ଭାଙ୍ଗି ପାରିନଥିଲେ । ସେହିଦିନଠାରୁ ଏହି ଷ୍ଟାଡିୟମ ଏକ ନୂଆ ପରିଚୟ ପାଇଥିଲା । ସମସ୍ତେ ଏହାକୁ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍ ଭାବେ ଜାଣିଲେ । ସବୁଠାରୁ ବଡ଼କଥା ହେଉଛି ଗାଭାସ୍କର ଏଠାରେ ଏହି ଐତିହାସିକ ପାଳି ପାକିସ୍ତାନ ବିପକ୍ଷରେ ଖେଳିଥିଲେ ।
ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କର ମଧ୍ୟ ମୋଟେରାରେ ଏକ ଐତିହାସିକ ରେକର୍ଡ ରହିଛି । ଏଠାରେ ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ସାର୍ ରିଚାର୍ଡ ହାଡଲେଙ୍କ ଦୀର୍ଘ ଦିନର ରେକର୍ଡକୁ ଅତିକ୍ରମ କରିଥିଲେ । ଏଠାରେ କପିଲ ଦେବ ତାଙ୍କର ଟେଷ୍ଟ୍ କ୍ରିକେଟର ୪୩୨ ତମ ୱିକେଟ୍ ପୂରଣ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ଏହି ମ୍ୟାଚ୍ ଖେଳାଯାଉଥିଲା । ୧୯୮୩ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହି ଷ୍ଟାଡିୟମରେ କେବଳ ୮୩ ରନ ବ୍ୟୟରେ ୯ ୱିକେଟ୍ ହାସଲ କରିଥିଲେ କପିଲ ଦେବ୍ । ଯେଉଁ କୀର୍ତ୍ତିମାନ କେବଳ ଏହି ଷ୍ଟାଡିୟମ ନୁହେଁ, ବିଶ୍ବ କ୍ରିକେଟ ଇତିହାସରେ ମଧ୍ୟ ଉଲ୍ଲେଖନୀୟ ସ୍ଥାନ ପାଲଟିଛି ।
ଏହି ଐତିହାସିକ ଷ୍ଟାଡିୟମର ନବୀକରଣ ପାଇଁ ପ୍ରାୟ ୮୦୦ କୋଟି ଟଙ୍କା ବ୍ୟୟରେ ଏହାର କ୍ଲବ କ୍ଷେତ୍ର, ଭୋଜନାଳୟ, ଏକ ବୃହତ ଷ୍ଟାଣ୍ଡର ସମ୍ପ୍ରସାରଣ ଏବଂ ନାମ ପରିବର୍ତ୍ତନ ଆଦି କରାଯାଇଛି । କେବଳ ଅହମ୍ମଦାବାଦ ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ଦେଶ ପାଇଁ ଗର୍ବର ସହ ବିଶ୍ବର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମର ସ୍ଥିତି ହାସଲ କରିବାକୁ ମୋଟେରାକୁ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ୫ ବର୍ଷ ସମୟ ଲାଗିଥିଲା । ୨୦୧୧ ମସିହା ବିଶ୍ବକପ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ସେମିଫାଇନାଲ ଦୌଡ଼ରୁ ରୋକିବାଠାରୁ ଆରମ୍ଭ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଗତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଆୟୋଜନ ହେବା ପର୍ଯ୍ୟନ୍ତ, ମୋଟେରା ଅନେକ ଐତିହାସିକ ଇଭେଣ୍ଟର ସାକ୍ଷୀ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ