ହାଇଦ୍ରାବାଦ: ଜାରି ରହିଥିବା ଆଇସିସି ବିଶ୍ବକପ୍ ୨୦୨୩ରେ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ ଜାରି ରଖିଛି । ୪ଟି ମ୍ୟାଚ୍ ଖେଳି ୩ଟିରେ ବିଜୟ ହାସଲ କରିଛି ବାଭୁମାଙ୍କ ଦକ୍ଷିଣ ଆଫ୍ରିକୀୟ ଦଳ । ତେବେ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ ବିପର୍ଯ୍ୟୟର ସମ୍ମୁଖୀନ ହେଇଥିଲେ ମଧ୍ୟ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଦମଦାର ବିଜୟ ହାସଲ କରି ପୁଣି ବିଜୟ ଟ୍ରାକ୍କୁ ଫେରିଛି । ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପର୍ଯ୍ୟନ୍ତ କ୍ବିଣ୍ଟନ୍ ଡିକକ୍ ଏବଂ ଏଡେନ ମାର୍କ୍ରମ ଦଳ ପାଇଁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲେ । ହେଲେ ହେନ୍ରିଚ୍ କ୍ଲାସେନ୍ ନିଜକୁ ପ୍ରମାଣିତ କରିପାରିନଥିଲେ । ଯେତେବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଡିକକ୍ ବିଫଳ ହୋଇଥିଲେ ଏବଂ ମାର୍କ୍ରମଙ୍କ ସହ ଦଳକୁ କ୍ଲାସେନଙ୍କ ଆବଶ୍ୟକତା ଥିଲା, ସେତେବେଳେ ସେ ନିଜର ପ୍ରାଇମ ଫର୍ମ ପ୍ରଦର୍ଶନ କରିଥିଲେ ।
- " class="align-text-top noRightClick twitterSection" data="">
ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କ୍ଲାସେନ ୧୨ ଚୌକା ଓ ୪ ଛକା ବଳରେ ୧୦୯ ରନର ଧୂଆଁଧାର ପାଳି ଖେଳିଥିଲେ । ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୯୯ ରନ କରିଥିଲା । ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଶୃଙ୍ଖଳାରେ ଏକ ୧୭୪ ରନର ଧୂଆଁଧାର ପାଳି ଖେଳିଥିଲେ କ୍ଲାସେନ୍ । ତେବେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ କ୍ଲାସେନ୍ ୩୦ରୁ କମ ରନ୍ ହାରାହାରିରେ ସ୍କୋର କରିଥିଲେ । ତେବେ ୨୦୨୦ରେ ସେ କେବଳ ୩ଟି ଦିନିକିଆ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲେ । ହେଲେ ୨୦୨୩ ଏହି ଷ୍ଟାର ଖେଳାଳିଙ୍କ ପାଇଁ ବେଶ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ସେ ୧୪ ଦିନିକିଆ ପାଳି ଖେଳିଥିବାବେଳେ ସେଥିରୁ ୫୫.୭୬ ହାରରେ ୭୨୫ ରନ ସଂଗ୍ରହ କରିବା ସହିତ ସ୍ଥିର ପ୍ରଦର୍ଶନ ଦେଇଆସୁଛନ୍ତି ।
ନିଜର ପ୍ରାଇମ ଫର୍ମରେ ରହିଥିବା କ୍ଲାସେନ୍ SA20ର ଉଦ୍ଘାଟନୀ ସଂସ୍କରଣରେ ୪୩ ବଲରେ ଧୂଆଁଧାର ଶତକ ହାସଲ କରିଥିଲେ । ଏହା ବ୍ୟତୀତ ଆଇପିଏଲ୍ରେ ସନ୍ରାଇଜର୍ସ ପାଇଁ ୧୨ ଇନିଂସ୍ ଖେଳି ସେ ଭାରତୀୟ ପିଚ୍ରୁ ୪୯.୭୮ ରନ୍ ହାରରେ ୪୪୮ ରନ୍ ସଂଗ୍ରହ କରିଥିଲେ । ତାଙ୍କର ବିସ୍ଫୋରକ ଶୈଳୀରେ ଖେଳିବାର କ୍ଷମତା ତାଙ୍କର ଷ୍ଟ୍ରାଇକ୍ ହାର (୧୪୮.୨୨)ରୁ ଜଣା ପଡ଼ିଥାଏ, ଯାହାକି କିମ୍ବଦନ୍ତୀ ବ୍ୟାଟର ଏବି ଡିଭିଲିୟର୍ସଙ୍କଠାରୁ ମଧ୍ୟ ଅଧିକ । ବର୍ତ୍ତମାନ ସୁଦ୍ଧା ଯଦିଓ ଟେଷ୍ଟ ଏବଂ ଟି20ରେ ତାଙ୍କର ରେକର୍ଡ ଏତେ ଉତ୍କୃଷ୍ଟ ନୁହେଁ, କିନ୍ତୁ ସେ ନିକଟ ଅତୀତରେ ଦକ୍ଷିଣ ଆଫ୍ରିକାର ଜଣେ ପ୍ରଭାବୀ ବ୍ୟାଟର ଭାବରେ ଉଭା ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପରେ କ୍ଲାସେନଙ୍କ ବିବୃତ୍ତି ଅନ୍ତର୍ଜାତୀୟ କ୍ରିକେଟରେ ସଫଳ ହେବା ପାଇଁ ତାଙ୍କର ଆତ୍ମବିଶ୍ବାସ ଏବଂ ଉତ୍ସାହକୁ ଦର୍ଶାଇଛି । ଏହି ମ୍ୟାଚ୍ ଜିତିବା ପରେ ସେ କହିଛନ୍ତି, "ଦକ୍ଷିଣ ଆଫ୍ରିକୀୟମାନେ ଚାପରେ ବହୁତ ଭଲ ପ୍ରଦର୍ଶନ କରନ୍ତି ବୋଲି ବିଶ୍ବ ପାଇଁ ଏକ ବଡ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିବାକୁ ପଡ଼ିବ । ଆଜି (ଶନିବାର) ଯେଉଁ ପରିସ୍ଥିତିରେ ମୁଁ ଶତକ ହାସଲ କଲି, ଏହା ମୋର ଶ୍ରେଷ୍ଠ ଶତକ ଗୁଡ଼ିକ ମଧ୍ୟରେ ସ୍ଥାନୀତ ହୋଇଛି । ଶାରୀରିକସ୍ତରରେ ମୁଁ ଏପରି ଖେଳିବାକୁ ଫିଟ୍ ନଥିଲି, ହେଲେ ମୋତେ ବାସ୍ତବରେ ମାନସିକସ୍ତରରେ ଦୃଢ଼ ହୋଇ ଖେଳିବାକୁ ପଡିଲା ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ