ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଏବେ ଅବସର ନେବେନି । ଏହା କହିଛନ୍ତି ଧୋନିଙ୍କ ପୁରୁଣା ବନ୍ଧୁ ଅରୁଣ ପାଣ୍ଡେ । ଅବସର ନେଇ ଅନେକ ପ୍ରକାର ଗୁଜବ ପ୍ରଚାର ହେଉଛି । ଭାରତୀୟ କ୍ରିକେଟର ବହୁ ପୂର୍ବତନ ଖେଳାଳି, ଧୋନିଙ୍କ ସ୍ଥାନ ଭାରତୀୟ ଦଳରେ ବହୁତ କମ ବୋଲି ଆକଳନ କରୁଛନ୍ତି । ଏମିତିକି ଧୋନି ଅବସର ଘୋଷଣା ନକଲେ ଦଳରୁ ବାଦ ଦେବାକୁ ଚୟନକର୍ତ୍ତାଙ୍କୁ ସିଧାସଳଖ ପରାମର୍ଶ ଦେଉଛନ୍ତି । ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି ଧୋନିଙ୍କ ବନ୍ଧୁ ତଥା ବ୍ୟବସାୟିକ ସହଯୋଗୀ ଅରୁଣ ପାଣ୍ଡେ । ନିକଟ ଭବିଷ୍ୟତରେ ଧୋନି କ୍ରିକେଟରୁ ଅବସର ନେଇ କୌଣସି ଯୋଜନା କରିନଥିବା ଅରୁଣ କହିଛନ୍ତି ।
ତେବେ ଭାରତୀୟ ଦଳ ଅଗଷ୍ଟ 3ରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ଏଥିନେଇ ଜୁଲାଇ 21 ରବିବାର ଭାରତୀୟ ଦଳ ଘୋଷଣା ହେବ । ଏହି ଶୃଙ୍ଖଳାରେ ଭାରତ ଟେଷ୍ଟ, ଟି-20 ଓ ଦିନିକିଆ ମ୍ୟାଚ ମଧ୍ୟ ଖେଳିବ । ତେବେ ଧୋନିଙ୍କୁ ଚୟନକର୍ତ୍ତା ଭାରତୀୟ ଦଳରେ ସ୍ଥାନ ଦେଉଛନ୍ତି ନାଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ବାଦ ଦେଉଛନ୍ତି, ତାହା ରବିବାର ସ୍ପଷ୍ଟ ହୋଇଯିବ ।
ଧୋନିଙ୍କ ଅଧିନାୟକତ୍ବରେ ଭାରତ ଆଇସିସିର ସମସ୍ତ ବଡ ଇଭେଣ୍ଟ(ଚମ୍ପିଆନ୍ସ ଟ୍ରଫି, ଦିନିକିଆ ବିଶ୍ବକପ, ଟି-2- ବିଶ୍ବକପ) ରେ ଚମ୍ପିଆନ ହୋଇଛି । ଭାରତର ଏକ ଛୋଟ ସହରର ଧୋନି ଭାରତୀୟ ଦଳ ପାଇଁ 350 ଦିନିକିଆ ଖେଳିସାରିଛନ୍ତି । 90ଟି ଟେଷ୍ଟ ଓ 98ଟି ଅନ୍ତର୍ଜାତୀୟ ଟି-20 ମ୍ୟାଚ ଖେଳିସାରିଛନ୍ତି । ଧୋନି 50ରୁ ଅଧିକ ଆଭରେଜରେ ମୋଟ 10,773 ଦିନିକିଆ ରନ ସଂଗ୍ରହ କରିଛନ୍ତି ।