ଲଣ୍ଡନ: ଭାରତୀୟ ଦଳ ପାଇଁ ଘରେ ନପଶୁଣୁ ଚାଳ ବାଜିଲା ପରି ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚରେ 6 ୱିକେଟରେ ହାରିଛି ବିରାଟ ବାହିନୀ । ପ୍ରଥମେ ବ୍ୟାଟିଂ କରିଥିଲା ଟିମ ଇଣ୍ଡିଆ । ଓଭାଲରେ ପାଗ ସାମାନ୍ୟ ମେଘୁଆ ରହିଥିବା ଯୋଗୁଁ ବୋଲିଂ ପାଇଁ ଅନୁକୂଳ ଥିଲା ।
ଭାରତ ଇନିଂସର ଦ୍ବିତୀୟ ଓଭରରେ ହିଁ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । 6 ଜଣ ଖେଳାଳି ଦୁଇଅଙ୍କ ଛୁଇଁ ପାରିନଥିଲେ । ଆଗଧାଡ଼ିର ଖେଳାଳି ଜଣଙ୍କ ପରେ ଜଣେ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ତାସର ଘର ଭଳି ଭାରତର ବ୍ୟାଟିଂ ଲାଇନ ଭୁଶୁଡ଼ି ପଡିଥିଲା । ସମ୍ପୂର୍ଣ୍ଣ 50 ଓଭର ଦଳ ଖେଳିପାରିନଥିଲା । 39.2ଓଭରରେ 179 ରନ କରି ଅଲଆଉଟ ହୋଇଥିଲା ।
ଦଳ ପକ୍ଷରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସମ୍ମାନ ରଖିଥିଲେ । 54ରନର ଅର୍ଧଶତକୀୟ ପାଳି ଖେଳି ଭାରତର ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା 37 ବଲରୁ 30 ରନର ପାଳି ଖେଳିଥିଲେ । ବିରାଟ 18ରନ କରି ଆଉଟ ହୋଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଘାତକ ବୋଲିଂ କରିଥିଲେ ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟ । ବୋଲ୍ଟ 4ଟି ଓ ଜେମ୍ସ ନିଶାନ 3ଟି ୱିକେଟ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିଦେଇଥିଲେ ।
180ରନର ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ 37.1ଓଭରରେ 4ୱିକେଟ ହରାଇ ଜିତିନେଇଥିଲା । କ୍ୟାପଟେନ ୱିଲିୟମସନ 67 ଓ ରସ ଟେଲର 71 ରନର ପାଳି ଖେଳିଥିଲେ ।