ଲଣ୍ଡନ: ଶେଷ ଭାଗରେ ପହଁଚିଛି ବିଶ୍ବକପ ମହାସମରର ଲିଗ୍ ପର୍ଯ୍ୟାୟ ଲଢେଇ । ଦୁଇ ସେମି ଫାଇନାଲିଷ୍ଟ୍ (ଅଷ୍ଟ୍ରେଲିଆ ଓ ଭାରତ) ମିଳିସାରିଛନ୍ତି । ତେବେ 3ୟ ଓ 4ର୍ଥ ସ୍ଥାନ ପାଇଁ 3ଟି ଦଳ ମଧ୍ୟରେ ଲଗିଛି ଟଣାଓଟରା । ଇତିମଧ୍ୟରେ ଆଜି ସେମିଫାଇନାଲ ପାଇଁ କର ବା ମର ସ୍ଥିତିରେ ନିଜର ଅନ୍ତିମ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟୁଛି ଆୟୋଜକ ଇଂଲଣ୍ଡ । ସ୍ଥାନୀୟ ରିଭର ସାଇଡ୍ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ ।
ତେବେ 11 ପଏଣ୍ଟ ସହିତ 3ୟ ସ୍ଥାନରେ ରହିଛି ବ୍ଲାକ୍କ୍ୟାପ ଦଳ । ସେହିପରି 4ର୍ଥ ସ୍ଥାନରେ ବସିଥିବା ଇଂଲଣ୍ଡ, କିୱି ଦଳଠାରୁ ଗୋଟିଏ ପଏଁଣ୍ଟ ଦୂରରେ ରହିଛି । ଫଳରେ ଉଭୟ ଦଳର ଶେଷ ଲିଗ୍ ମ୍ୟାଚ ହୋଇଥିବାରୁ ସେମି ଟିକେଟ ପାଇଁ ଆଜି ଉଭୟ ଦଳକୁ ନିଶ୍ଚିତ ବିଜୟ ଆବଶ୍ୟକ ରହିଛି । ଯଦି ଇଂଲଣ୍ଡ ଆଜି ପରାଜିତ ହେବ, ତେବେ ପାକିସ୍ତାନର ସେମି ରାସ୍ତା ସଫା ହୋଇଯିବ । କାରଣ ପାକିସ୍ତାନ ପାଖରେ ଆଉ ଗୋଟିଏ ଲିଗ୍ ମ୍ୟାଚ ବାକି ରହିଛି, ଯାହା ସେ ବାଂଲାଦେଶ ସହ ଖେଳିବ ।
9 ପଏଣ୍ଟ ସହ 5ମ ସ୍ଥାନରେ ଥିବା ପାକିସ୍ତାନ ବାଂଲାଦେଶକୁ ହରାଇ 11ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ରହିଛି । ଫଳରେ ଇଂଲଣ୍ଡକୁ ଅତିକ୍ରମ କରି ସେମି ଟିକେଟ୍ ହାତେଇବ । ସେହିପରି ଯଦି ଆଜି ନ୍ୟୁଜିଲାଣ୍ଡ ପରାସ୍ତ ହେଉଛି, ତେବେ ପାକିସ୍ତାନ ସେମିଫାଇନାଲ ଆଶା ଉଜ୍ଜୀବିତ ହୋଇ ରହିବ । ସେପଟେ ପାକିସ୍ତାନ ଶେଷ ମ୍ୟାଚ ଜିତିଲେ ନ୍ୟୁଜିଲାଣ୍ଡ ସହିତ ସାମନ ପଏଣ୍ଟ ପାଇବ । ଏପରି କ୍ଷତ୍ରରେ ନେଟ୍ ରନ୍ ଆଧାରରେ 4ର୍ଥ ସେମିଫାଇନାଲିଷ୍ଟ ଚୟନ କରାଯିବ ।
ଅନ୍ୟପଟେ ବର୍ମିଂହାମରେ ଭାରତକୁ ମାତ୍ ଦେଇ ମନୋବଳ ଦୃଢ କରିଛି ଆୟୋଜକ ଇଂଲଣ୍ଡ । ଜେସନ ରୟ ଓ ବେୟାରିଷ୍ଟୋଙ୍କ ଫର୍ମକୁ ଫେରିବା ଦଳକୁ ଶକ୍ତିଶାଳୀ କରିଛି । ସେହପରି ନ୍ୟୁଜିଲାଣ୍ଡ ବିଶ୍ୱକପ୍ରେ ଜବରଦସ୍ତ ଆରମ୍ଭ କରିଥିଲେ ମଧ୍ୟ ତାର ଶେଷ ଦୁଇଟି ମ୍ୟାଚ୍ରେ ପାକିସ୍ତାନ ଓ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିବା ଟ୍ରେଣ୍ଟ ବୋଲ୍ଟ ଏବଂ ଲୋକି ଫର୍ଗୁସନଙ୍କ ଭଳି ଦ୍ରୁତ ବୋଲରଙ୍କୁ ନ୍ୟୁଜିଲାଣ୍ଡ ବୋଲିଂ ବିଭାଗ ବେଶ୍ ଦୃଢ଼ ମନେହେଉଛି। ତେବେ ଏପରି କ୍ଷତ୍ରରେ ଆଜି ସେମି ଟିକେଟ୍ ପାଇଁ ଏହି ମ୍ୟାଚ ଖୁବ ସଙ୍ଘର୍ଷପୂର୍ଣ୍ଣ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ