ହାଇଦ୍ରାବାଦ: ଗତ 11ବର୍ଷ ପରି ଚଳିତ ଆଇପିଏଲ ସିଜନ ମଧ୍ୟ ଥିଲା ଖୁବ ରୋମାଞ୍ଚକପୂର୍ଣ୍ଣ । ଶେଷ ଦିନରେ ପ୍ଲେ-ଅଫ ପାଇଁ ଟିମ ସ୍ଥିର କରାଗଲା । ସେହିପରି ଟପ ସ୍ଫଟ ପାଇଁ ମଧ୍ୟ ଲାଇନ ଅଫ ଶେଷ ଦିନରେ ହିଁ ଜଣାପଡିଲା । 45ଦିନ 56ଟି ଲିଗ ମ୍ୟାଚ ପରେ ଆସନ୍ତାକାଲି ଠାରୁ ଖେଳାଯିବ ଆଇପିଏଲର କ୍ବାଲିଫାୟର ମୁକାବିଲା । ତେବେ ଏହି ମୁକାବିଲା ପାଇଁ କଣ ରହିଛି ପ୍ଲେ-ଅଫ ଲାଇନ-ଅପ ଆସନ୍ତୁ ଜାଣିବା ।
ଗତକାଲି ମ୍ୟାଚରେ କେକେଆରର ପରାଜୟ ପରେ 4ର୍ଥ ଦଳ ଭାବେ ପ୍ଲେ-ଅଫରେ ସ୍ଥାନ ପାଇଛି ହାଇଦ୍ରାବାଦ୍ । ତେବେ ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ କୌଣସି ଦଳ 6ଟି ବିଜୟ ଅର୍ଥାତ 12 ପଏଣ୍ଟ ସହ ପ୍ଲେ-ଅଫରେ ସ୍ଥାନ ପାଇଛି । ସେହିପରି ରବିବାର 2ୟ ମ୍ୟାଚରେ କେକେଆରକୁ 9 ୱିକେଟରେ ମାତ୍ ଦେବା ପରେ ଟେବୁଲ ଟପ୍ପର ହୋଇ ଲିଗ ପର୍ଯ୍ୟାୟ ଶେଷ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଆଶ୍ଚର୍ଯ୍ୟର କଥା ଯେ, ସମ୍ପୂର୍ଣ୍ଣ ସିଜନରେ ମୁମ୍ବାଇ ଟେବୁଲର ଶୀର୍ଷ ସ୍ଥାନ ଚଢି ପାରିନଥିବା ବେଳେ ଶେଷ ଲିଗ୍ ମ୍ୟାଚରେ ଟେବୁଲ ଟପ୍ପର ହୋଇଛି ।
ତେବେ 18ପଏଣ୍ଟ ସହ ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲୀ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । 12 ପଏଣ୍ଟ ସହ ହାଇଦ୍ରାବାଦ 4ର୍ଥ ସ୍ଥାନରେ ରହିଛି । ତେଣୁ ନିୟମ ଅନୁସାରେ ପ୍ଲେ-ଅଫ ସମୀକରଣ ଏମିତି ହୋଇଛି ।
ପ୍ରଥମ କ୍ବାଲିଫାୟର-1 ମ୍ୟାଚ ଚେନ୍ନାଇ-ମୁମ୍ବାଇ ମଧ୍ୟରେ ଖେଳାଯିବ । ଯାହାକି, ଚେନ୍ନାଇର ହୋମ୍ ଗ୍ରାଉଣ୍ଡ ଚେପକ୍ ଷ୍ଟାଡିୟରେ ଖେଳାଯିବ । ସେହିପରି ଏଲିମିନେଟର ଦିଲ୍ଲୀ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ବିଶାଖାପାଟନମ୍ଠାରେ ଖେଳାଯିବ ଏହି ମ୍ୟାଚ । ଉଭୟ ମ୍ୟାଚ ସଂଧ୍ୟା 7.30ରୁ ଆରମ୍ଭ ହେବ ।
କ୍ବାଲିଫାୟର-1ର ବିଜେତା ସିଧା ଫାଇନାଲରେ ପ୍ରବେଶ କରିବ । ଅନ୍ୟପଟେ ଏଲିମିନେଟର ବିଜେତା କ୍ବାଲିଫାୟର-1ର ପରାଜିତ ଦଳ ସହ କ୍ବାଲିଫାୟର-2ରେ ଲଢିବ । ଯାହାକି ବିଶାଖାପାଟନମ୍ଠାରେ ଖେଳାଯିବ । ତେବେ କ୍ବାଲିଫାୟର-2ର ବିଜେତା ଓ କ୍ବାଲିଫାୟର-1ର ବିଜେତାଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଆଇପିଏଲର ଫାଇନାଲ ମୁକାବିଲା ।