ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଓପନର ହିଟମ୍ୟାନ ରୋହିତ ଶର୍ମାଙ୍କୁ ଆଜି ଦିନରେ ମିଳିଥିଲା ଏକ ନିଆରା ପରିଚୟ । ଗୋଟିଏ ବିଶ୍ବକପର ଗୋଟିଏ ସଂସ୍କରଣରେ 5ଟି ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ବନିଥିଲେ ।
ଗତବର୍ଷ ଇଂଲଣ୍ଡରେ ଖେଳାଯାଇଥିବା ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଏହି କମାଲ କରିଦେଖାଇଥିଲେ ରୋହିତ । 5ଟି ଶତକ ସହାୟତାରେ ଅବିଶ୍ବସନୀୟ 81.00ହାରରେ 648ରନ ସଂଗ୍ରହ କରି, ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନହାସଲକାରୀ ବ୍ୟାଟ୍ସମ୍ୟାନ ରହିଥିଲେ ।
ରୋହିତ ପାଞ୍ଚଟି ଶତକ ଯଥାକ୍ରମେ ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଇଂଲଣ୍ଡ, ବାଲାଂଦେଶ, ଓ ଶ୍ରୀଲଙ୍କା ବିପକ୍ଷରେ ହାସଲ କରିଥିଲେ ।
ପୂର୍ବରୁ କ୍ରିକେଟ ବିଶ୍ବକପର ଗୋଟିଏ ସଂସ୍କରଣରେ ସର୍ବାଧିକ 4ଟି ଶତକର ରେକର୍ଡ ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ନାମରେ ରହିଥିଲା ।
ଆଜି ଦିନରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳର ମ୍ୟାଚ ରହିଥିଲା । 265 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଭାରତ । 94 ବଲରୁ 14 ଚୌକା ଓ 2 ଛକା ସହାୟତାରେ 103 ରନର ଇଂନିସ ଖେଳିଥିଲେ ଓପନର ରୋହିତ ଶର୍ମା । ଅନ୍ୟତମ ଓପନର ଲୋକେଶ ରାହୁଲ ମଧ୍ୟ 111 ରନର ଶତକୀୟ ଇଂନିସ ଖେଳିଥିଲେ। ଉଭୟ ଓପନରଙ୍କ ଦମଦାର ବ୍ୟାଟିଂ ବଳରେ ଭାରତୀୟ ଦଳ 43.3 ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ରୋହିତ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।
ଟିମ ଇଣ୍ଡିଆର ଉପ-ଅଧିନାୟକ ଥିବା ରୋହିତ ଏଯାବତ 224ଟି ଦିନିକିଆ, 108ଟି ଟି-20 ଓ 32ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସବୁ ଫର୍ମାଟରୁ 14,029 ରନ ମଧ୍ୟ ସଂଗ୍ରହ କରିଛନ୍ତି । ଦିନିକିଆ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର(264) ରେକର୍ଡ ରୋହିତ ଶର୍ମାଙ୍କ ନାମରେ ରହିଛି । ଏଥିସହିତ ଦିନିକିଆ କ୍ରିକେଟରେ 3ଟି ଦ୍ବିଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ମଧ୍ୟ ରହିଛନ୍ତି ।
କ୍ରୀଡା କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର 2020 ପାଇଁ, ବିସିସିଆଇ ପକ୍ଷରୁ ରୋହିତ ଶର୍ମା ମନୋନୀତ ହୋଇଛନ୍ତି ।