କଟକ: ଓଡ଼ିଶା କ୍ରିକେଟ ପ୍ରେମୀମାନଙ୍କ ପାଇଁ ଖୁସି ଖବର। ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହେବ ଓଡ଼ିଶା କ୍ରିକେଟ ଲିଗ ଟି-20 ଚାମ୍ପିୟନସିପ। ଡିସେମ୍ବର ମାସରେ ଏହି ଲିଗ ଆରମ୍ଭ ହେବା ନେଇ ସୂଚନା ମିଳିଛି। ଆଜି(ସୋମବାର) ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଓଡ଼ିଶା କ୍ରିକେଟକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ନେଇ ସୂଚନା ମିଳିଛି।
ଡିସେମ୍ବର ମାସ 5 ତାରିଖରେ ଆରମ୍ଭ ହେବାକୁ ଥିବା ଓଡ଼ିଶା କ୍ରିକେଟ ଲିଗ ଟି-20 ଚାମ୍ପିଅନସିପରେ ମୋଟ 6ଟି ଦଳ ଭାଗ ନେବେ। 6ଟି ଦଳରେ ସର୍ବମୋଟ 84 କ୍ରିକେଟରଙ୍କୁ ସାମିଲ କରାଯିବ। ଏହି ସମସ୍ତ ମ୍ୟାଚକୁ ଦିବାରାତ୍ର(day and night) କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ ମାନି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ଠାରୁ ମଞ୍ଜୁରୀ ମିଳିଥିବା ନେଇ ଓସିଏ ପକ୍ଷରୁ ସୂଚନା ମିଳିଛି।
ଭିଜନ 2024(vision)କୁ ନଜର ରଖିବା ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯାଉଥିବା ନେଇ ଓସିଏ ସୂଚନା ଦେଇଛି। ଚୟନ କମିଟି ନିର୍ଦ୍ଦେଶ ଅନୁଯାୟୀ 168 ଜଣ ବୟସ ଵର୍ଗ ଖେଳାଳିଙ୍କୁ ନେଇ ଟ୍ରାଏଲ ମ୍ୟାଚ କରାଯିବ। ଆପିଏଲ ଢାଞ୍ଚାରେ ଏହି ସମସ୍ତ ମ୍ୟାଚ ଖେଳାଯିବ। ଆଗାମୀ ଦିନରେ ହେବାକୁ ଥିବା ସୟିଦ ମୁସ୍ତାକ ଅଲି ଟ୍ରଫିକୁ ନଜରରେ ରଖି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଥିବା ଏହାକୁ ନେଇ ଓସିଏ ସ୍ପଷ୍ଟ କରିଛି। ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ମହିଳା ଟି-20ରେ ଭାଗ ନେଇଥିବା ଓଡ଼ିଆ ଝିଅ ସୁଶ୍ରୀ ବ୍ୟଦର୍ଶିନୀ ଯୋଗ ଦେଇଥିଲେ। ଏହି ଅବସରରେ ଓସିଏ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ