କଟକ: ଓଡିଶା କ୍ରିକେଟ ଆସୋସିଏସନର ନିର୍ବାଚନ ନେଇ ଉଷ୍ମ ହେଲାଣି ପାଣିପାଗ । ସଭାପତି, ସଂପାଦକ ଓ ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ପଦ ପାଇଁ ଆସନ୍ତା ସେପ୍ଟେମ୍ବର 14ରେ ନିର୍ବାଚନ ଅନୁଷ୍ଠିତ ହେବ । ଓସିଏ ନିର୍ବାଚନ ପାଇଁ ନିର୍ବାଚନ କମିଶନ ସ୍ଥିର ହୋଇସାରିଛନ୍ତି । ସେଥିପାଇଁ ବେଶ କିଛି ଦିନ ଧରି ଶିଥିଳ ଥିବା ଓଡିଶା କ୍ରିକେଟ ଏବେ ଚଳଚଞ୍ଚଳ ହୋଇଛି ।
ସବୁ ଭିତରେ ସଭାପତି ପଦ ପାଇଁ ଆଶାୟୀ ପ୍ରାର୍ଥୀ ବିଜୟର ଦୃଢୋକ୍ତି ଆରମ୍ଭ କଲେଣି । ଧିରେ ଧିରେ ସାମ୍ନାକୁ ଆସୁଛି ଆଶାୟୀଙ୍କ ନାମ । ସଭାପତି ପଦ ପାଇଁ ରେସରେ ଆଗରେ ଅଛନ୍ତି ପ୍ରଦୀପ ଚୌହାନ । ଓଡିଶା କ୍ରିକେଟ ଦୟନୀୟ ସ୍ଥିତିରେ ରହିଛି । ତେଣୁ ନୂଆ ସଭାପତି ହେବାର ଆବଶ୍ୟକତା ରହିଛି । ଯେଉଁ ସଦସ୍ୟ ମାନେ ଓଡିଶାରେ କ୍ରିକେଟ ଖେଳ ହେଉ ଏବଂ ଓଡିଶା କ୍ରିକେଟ ଆସୋସିଏସନ ସକ୍ରିୟ ହେଉ ବୋଲି ଚାହାଁନ୍ତି ସେମାନେ ତାଙ୍କୁ ଭୋଟ ଦେବେ । ଏମିତି ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ଚୌହାନ । 70 ଜଣ ସଦସ୍ୟଙ୍କ ମଧ୍ୟରୁ ଅଧାରୁ ଅଧିକ ସଦସ୍ୟ ତାଙ୍କୁ ଭୋଟ ଦେବେ ବୋଲି ପ୍ରଦୀପ କହିଛନ୍ତି । ତେବେ OCAର ନୂତନ ସମ୍ବିଧାନ ଅନୁୟାୟୀ ସ୍ଥାୟୀ ସଦସ୍ୟଙ୍କ ନାମ ସାମ୍ନାକୁ ଆସିଲେ ହିଁ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।
ତେବେ ସେ କେଉଁ ପଦ ପାଇଁ ଲଢିବେ ସ୍ଥିର ହୋଇନାହିଁ ବୋଲି କହିଛନ୍ତି । ପୂର୍ବରୁ ଓଡିଶା କ୍ରିକେଟ ଆସୋସିଏସନ ଦାୟିତ୍ବରେ ଥିବା ଆର୍ଶୀବାଦ ବେହେରାଙ୍କୁ, ଚଳିତ ଥର ପ୍ରଦୀପ କଡା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଓସିଏ ର ପୁର୍ବତନ ସମ୍ପାଦକ ଆଶ୍ରିବାଦ ବେହେରାଙ୍କ ପୁତ୍ର ସଞ୍ଜୟ ବେହେରା ସମ୍ପାଦକ ପଦ ପାଇଁ ଲଢ଼ି ପାରନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ