ହାମିଲଟନ: ପୁଣିଥରେ ହାମିଲଟନରେ ମିଳିଲା ହାର୍ । 4ର୍ଥ ଦିନିକିଆ ପରି 4ରନରେ ଅନ୍ତିମ ଟି-20 ମୁକାବିଲା ହାରିଲା ଭାରତ । କିୱି ମାଟିରେ ଇତିହାସ ରଚିବାରୁ ବଞ୍ଚିତ ହେଲେ କାମଚଳା ଅଧିନାୟକ । ଜିତି ପାରିଲେନି ଟି-20 ସିରିଜ । ଶେଷ ମ୍ୟାଚ ସହିତ 2-1ରେ ସିରିଜକୁ କବ୍ଜା କରିଛି ଘରୋଇ ଦଳ । ବିଜୟୀ ଦଳର ଦୃତ 43 ରନ କରିଥିବା ଟିମ୍ ସେଇଫଟଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଓ ସିରିଜରେ ସର୍ବାଧିକ ରନ କରିଥିବା କୋଲିନ ମୁନରୋ ମ୍ୟାନ ଅଫ ଦି ସିରିଜ ବିବେଚିତ କରାଯାଇଛି ।
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ କୋଲିନ ମୁନରୋଙ୍କ ବିସ୍ଫୋରକ ୭୨ ରନ ବଳରେ ୪ ଓ୍ଵିକେଟ୍ ହରାଇ ୨୧୨ ରନ କରିଥିଲା । ଜବାବରେ ଦିନେଶ କାର୍ତ୍ତିକ୍ ଓ କୃଣାଲ ପାଣ୍ଡ୍ୟାଙ୍କ ସଂଘର୍ଷପୂର୍ଣ୍ଣ ପାଳି ସତ୍ତ୍ବେ ୬ ଓ୍ଵିକେଟ୍ ହରାଇ ୨୦୮ ରନ କରିବାକୁ ସକ୍ଷମ ହୋଇଥିଲା ।
ତେବେ ଏହି ମ୍ୟାଚ ପରାଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ଭାରତ ପୁଣିଥରେ ଟି-20 ସିରିଜ ଜିତିବାରୁ ବଞ୍ଚିତ ହୋଇଛି । ସେହିଭଳି ପାକିସ୍ତାନର ଟି-20 ବିଜୟୀ ରେକର୍ଡ ସହ ସମକ୍ଷକ ହେବାରୁ ବି ବଞ୍ଚିତ ହୋଇଛି ଭାରତ ।
ମାତ୍ର 81ରନରେ ବିଜୟ ଶଙ୍କର ଆଉଟ୍ ହେବା ଘରୋଇ ବୋଲରଙ୍କୁ ପ୍ରବଳ ପ୍ରହାର କରିଥିଲେ ଯୁବ ଋଷବ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଦୁହେଁ କମ୍ ରନ ସ୍କୋର କରିଥିଲେ ମଧ୍ୟ ଯଥାକ୍ରମେ 3ଟି ଓ ଦୁଇଟି 6 ଛକା ନିଜ ପାଳିରେ ଯୋଡି ଦେଇ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମନୋବଳକୁ ଦୃଢ କରିଥିଲେ । ନିଜର ଭାରସାମ୍ୟ ହରାଇ ପାଣ୍ଡ୍ୟା ହାତରୁ ବ୍ୟାଟ ଖସାଇ ଆଉଟ ହୋଇଥିଲେ ।
ପରେ କ୍ରିଜକୁ ଆସିଥିବା ଅଭିଜ୍ଞ ଧୋନି ଆଜି ଫେଲ ମାରିଥିଲେ । ସେ ମାତ୍ର ଦୁଇ ରନ କରି ଆଉଟ ହୋଇଥିଲେ । ତେବେ ଶେଷରେ ଦିନେଶ କାର୍ତ୍ତିକ୍ ଓ କୃଣାଲ ପାଣ୍ଡ୍ୟାଙ୍କ ଯୋଡି ସଂଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ । ଦୁହେଁ ମ୍ୟାଚ ବିଜୟୀ ପାଇଁ 63ରନର ଭାଗିଦାରୀ ଯୋଡିଥିଲେ । ରୋମାଞ୍ଚକ ସ୍ଥିତିରେ ପହଞ୍ଚିଥିଲା ମ୍ୟାଚ । ଶେଷ ଓଭରରେ ଜିତିବା ପାଇଁ ୧୬ ରନ ଥିଲେ ମଧ୍ୟ ଭାରତ ୧୧ ରନ କରିବାକୁ ସକ୍ଷମ ହୋଇଥିଲା ।
ନ୍ୟୁଜିଲାଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ମିଚେଲ ସାଣ୍ଟନର ଓ ଡାର୍ଲି ମିଚେଲ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ୨୬ ରନ ଦେଇ ୨ଟି ସଫଳତା ପାଇଥିଲେ । ଭୁବନେଶ୍ଵର କୁମାର ଓ ଖଲିଲ ଅହମ୍ମଦ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ଏଥି ସହିତ ଶେଷ ହୋଇଛି ଭାରତ ଚାରି ମାସର ବିଦେଶ ଗସ୍ତ । ଏହା ପରେ ଅଷ୍ଟ୍ରେଲିଆ ଦଳ ଭାରତ ଆସିଛି । ଆସନ୍ତା ଫେବୃଆରୀ 24 ତାରିଖରେ ଖେଳାଯିବ ପ୍ରଥମ ଟି-20 ମ୍ୟାଚ ।