କଟକ: ରଣଜୀ ସିଜିନ ପୂର୍ବରୁ ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଓଡ଼ିଶା ରଣଜୀ କ୍ରିକେଟରଙ୍କ ଅଭ୍ୟାସ ପାଇଁ କୋଚ ନିଯୁକ୍ତ କରିଛି ଓସିଏ । ତେବେ ପୂର୍ବରୁ ଦଳର ମୁଖ୍ୟ କୋଚ ଦାୟିତ୍ବରେ ଥିବା ରଶ୍ମି ରଞ୍ଜନ ପରିଡ଼ା ଅପରିବର୍ତ୍ତିତ ରହିଛନ୍ତି । ଏନେଇ ଓସିଏ ପକ୍ଷରୁ ସୂଚନା ମିଳିଛି ।
ଓଡ଼ିଶା ରଣଜୀ ଦଳର ବୋଲିଂ କୋଚ ଭାବରେ ନିଯୁକ୍ତ ହୋଇଛନ୍ତି ପୂର୍ବତନ କ୍ରିକେଟର ଦୀପକ ମଙ୍ଗରାଜ । ଦୀପକ ମଙ୍ଗରାଜ ପୂର୍ବ ଓଡ଼ିଶା ପକ୍ଷରୁ 16ଟି ମ୍ୟାଚ ଖେଳି 25 ହାରରେ 60ଟି ୱିକେଟ ନେଇଛନ୍ତି । ସେହିଭଳି ସେ 15 ଟି ଲିଷ୍ଟ-ଏ ମ୍ୟାଚ ଖେଳି 36 ହାରରେ 16ଟି ୱିକେଟ ନେଇଛନ୍ତି । 2003 ମସିହାରେୁ 2006 ମସିହା ଯାଏଁ ସେ ଓଡ଼ିଶା ପାଇଁ ଖେଳିବା ଜାରି ରଖିଥିଲେ ।
ସେହିଭଳି ଫିଲଡିଂ କୋଚ ଦାୟିତ୍ବରେ ରହିଛନ୍ତି ଗୌତମ ଗୋପାଳଙ୍କୁ ନିଯୁକ୍ତ କରାଯାଇଛି । ଗୌତମ ଓଡ଼ିଶା ଏବଂ ରାଜସ୍ଥାନ ପକ୍ଷରୁ ରଣଜୀ ମ୍ୟାଚ ଖେଳିଛନ୍ତି। ସେ 45ଟି ଫାଷ୍ଟ କ୍ଲାସ ମ୍ୟାଚ ଖେଳିଥିବା ବେଳେ 31ଟି ଲିଷ୍ଟ-ଏ ମ୍ୟାଚ ଖେଳିଛନ୍ତି । 45ଟି ଫାଷ୍ଟକ୍ଲାସ ମ୍ୟାଚରୁ ସେ 1258ରନ କରିଛନ୍ତି । ସେହିଭଳି 31ଟି ଲିଷ୍ଟ-ଏ ମ୍ୟାଚରୁ ସେ 468 ରନ କରିଛନ୍ତି। ଜଣ ଦମଦାର ଫିଲ୍ଡର ଭାବରେ ସେ ବେଶ ଜଣାଶୁଣା ।
ରଣଜୀ ପୂର୍ବରୁ ଓସିଏର ଏହା ମାଷ୍ଟର ପ୍ଲାନ ବୋଲି କୁହାଯାଉଛି । ପୂର୍ବରୁ ଟେକ୍ନିକାଲ ଷ୍ଟାଫ ଘୋଷଣା କରିଥିଲା ଓସିଏ । ଏହାପରେ ଚୟନ କମିଟି ଆଜି (ଶୁକ୍ରବାର) କୋଚିଂ ଷ୍ଟାଫଙ୍କ ନାମ ଘୋଷଣା କରିଛି । ଆଗକୁ ରଣଜୀ ସିଜିନ ପାଖେଇ ଆସୁଥିବାରୁ ଏଭଳି ଷ୍ଟ୍ରାଟେଜି ଆପଣାଇଛି ଓସିଏ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ