ମୁମ୍ବାଇ: ବଦଳିବେ ମୁଖ୍ୟ ଚୟନକର୍ତ୍ତା କମିଟିର ମୁଖିଆ। ଶେଷ ହୋଇଛି ଭାରତୀୟ କ୍ରିକେଟ ଦଳର ଚୟନକର୍ତ୍ତା କମିଟିର କାର୍ଯ୍ୟକାଳ। ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।
ଚୟନକର୍ତ୍ତା କମିଟିର କାର୍ଯ୍ୟକାଳ 4 ବର୍ଷ ରହିଥିଲା । ଏହା ଶେଷ ହୋଇଥିବା ବୈଠକ ପରେ ଦାଦା ଜଣାଇଛନ୍ତି । ଆଜି ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏନେଇ ଚର୍ଚ୍ଚା ହୋଇଛି । ପୂର୍ବରୁ ଥିବା ବିସିସିଆଇର ସମ୍ବିଧାନ ଆନୁଯାୟୀ ଚୟନକର୍ତ୍ତା କମିଟିର କାର୍ଯ୍ୟକାଳ 4ବର୍ଷ ରହିଥିଲା। 2015ରେ ମୁଖ୍ୟଚୟନକର୍ତ୍ତା ଭାବେ ଏମଏସକେ ପ୍ରସାଦ ଓ ଗଗନ ଖୋଦା ଦାୟିତ୍ବ ଗ୍ରହଣ କରିଥିଲେ। ପରେ 2016ରେ ଜାତିନ ପାରାଞ୍ଜପେ, ସାନନ୍ଦୀପ ସିଂହ ଓ ଦେବାଙ୍ଗ ଗାନ୍ଧୀ କମିଟିରେ ସ୍ଥାନ ପାଇଥିଲେ।
ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କୁ ପରିବର୍ତ୍ତନ ନେଇ ଚର୍ଚ୍ଚା ଲାଗି ରହିଛି । ଯୁବ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଦଳରେ ନ ମିଳିବା ନେଇ କ୍ରିକେଟର ହରଭଜନ ସିଂହ ଓ ଅନ୍ୟ କ୍ରିକେଟର ବିସିସିଆଇ ସଭାପତିଙ୍କୁ ଅନୁରୋଧ କରିଥିଲେ । ଏମିତିକି ସୋସିଆଲ ମିଡିଆରେ କିଛି ଫ୍ୟାନ୍ସ ମଧ୍ୟ ପ୍ରସାଦଙ୍କ ନିଷ୍ପତ୍ତିରେ ଆପତ୍ତି ଉଠାଇଥିଲେ । ତେବେ ଗାଙ୍ଗୁଲିଙ୍କ ଏହି ସୂଚନା ପରେ ଭାରତୀୟ ଦଳର ନୂଆ ଚୟନକର୍ତ୍ତା ନିଯୁକ୍ତ ହେବେ ବୋଲି ସ୍ପଷ୍ଟ ହୋଇଛି।