ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଯେବେଠାରୁ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ତାଙ୍କ ଜୀବନକୁ ଆସିଛନ୍ତି ସେ ଶାନ୍ତ ରହିବା ଓ ଧର୍ଯ୍ୟଶୀଳ ହେବା ଶିଖିଛନ୍ତି । 2013ରେ ଉଭୟଙ୍କର ସାକ୍ଷାତ ହୋଇଥିଲା ଓ 2017ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।
‘‘ସତ କହିବାକୁ ଗଲେ ଯେବେଠାରୁ ଅନୁଷ୍କା ଓ ମୋର ଭେଟ ହୋଇଛି ସେବେଠାରୁ ମୁଁ ଧୈର୍ଯ୍ୟଶୀଳ ହେବା ଶିଖିଛି । ମୁଁ ଆଗରୁ ଖୁବ ଅଧର୍ଯ୍ୟ ଥିଲି,’’ ବୋଲି ମଙ୍ଗଳବାର କହିଛନ୍ତି କୋହଲି । ଏକ ଅନଲାଇନ ଚାଟ ଶୋରେ ‘କିପରି ପ୍ରେରଣା ପାଇବେ’ ଏବିଷୟ ଉପରେ ଛାତ୍ରଛାତ୍ରୀଙ୍କ ସହ ବିରାଟ କୋହଲି ଓ ଅନୁଷ୍କା ଶର୍ମା କଥାବାର୍ତ୍ତା ବେଳେ ଏହା କହିଥିଲେ କୋହଲି ।
‘‘ପରସ୍ପର ଠାରୁ ଆମେ ଅନେକ କିଛି ଶିଖିଛୁ । ତାଙ୍କ ବ୍ୟକ୍ତିତ୍ବ, ବିଭିନ୍ନ ପରିସ୍ଥିତିରେ ସେ ବିଚଳିତ ନ ହେବା ମତେ ବେଶ୍ ପ୍ରେରଣା ଦେଇଛି । ଯେତେବେଳେ ପରିସ୍ଥିତି କଠିନ ଥାଏ ଆପଣଙ୍କୁ ନିଜ ଅହଂକାରକୁ ଆଡ କରି ପ୍ରତିକୁଳ ପରିସ୍ଥିତିକୁ ସାମ୍ନା କରିବାକୁ ହେବ । ନିଜର ସାମର୍ଥ୍ୟ ଅନୁସାରେ ଯୁଦ୍ଧ ଜାରି ରଖିବାକୁ ହେବ ଏବଂ ଶେଷରେ ତୁମେ ନିଶ୍ଚୟ ବାଟ ପାଇଯିବ । ମୁଁ ଏହା ହିଁ ଅନୁଷ୍କାଙ୍କୁ କରିବାର ଦେଖିଛି ଓ ତାଙ୍କୁଠାରୁ ଶିଖିଛି’’ ବୋଲି କହିଥିଲେ ବିରାଟ ।
ତେବେ କୋହଲି ଏହାସହ କେବେ ସେ ସାରା ରାତି କାନ୍ଦି ଥିଲେ ଓ କାହିଁକି ତାହା ମଧ୍ୟ ସେୟାର କରିଥିଲେ ।
‘‘ରାଜ୍ୟ ପାଇଁ ଖେଳିବା ଲାଗି ପ୍ରଥମ ଥର ମୋର ଚୟନ ହୋଇନଥିଲା । ମୋର ମନେଅଛି ସେଦିନ ବିଳମ୍ବିତ ରାତି ଯାଏଁ ମୁଁ କାନ୍ଦିଥିଲି ।’’
‘‘ଭୋର 3ଟା ଯାଏଁ ମୁଁ କାନ୍ଦିଥିଲି, ମତେ ବିଶ୍ବାସ ହେଉନଥିଲା ଯେ ମୋର ଚୟନ ହୋଇ ନାହିଁ । ମୁଁ ଭଲ ସ୍କୋର କରିଥିଲି, ସବୁ ଠିକ ଥିଲା । ମୁଁ ଶେଷ ପର୍ଯ୍ୟନ୍ତ ଭଲ ଖେଳିଥିଲେ ତାପରେ ବି ମୋର ଚୟନ ହୋଇ ନଥିଲା ।’’
‘‘ମୁଁ ମୋର କୋଚଙ୍କୁ 2 ଘଣ୍ଟା ଧରି ପଚାରି ଥିଲି ଯେ ଏମିତି କାହିଁକି ହେଲା ? ସେତେବେଳେ ଏହାର ଉତ୍ତର ମୁଁ ପାଇ ନଥିଲି କିନ୍ତୁ ଯେତେବେଳେ ଉତ୍ସାହ ଓ ପ୍ରତିବଦ୍ଧତା ଆପଣଙ୍କ ଭିତରେ ଥାଏ, ପ୍ରେରଣା ଆପଣଙ୍କ ଭିତରେ ନିଶ୍ଚୟ ଜାଗ୍ରତ ହୁଏ’’ ବୋଲି କହିଥିଲେ ବିରାଟ ।