ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ(ଡିଡିସିଏ) ରବିବାର ରାଜକୁମାର ଶର୍ମାଙ୍କୁ ସିନିୟର ଟିମର ମୁଖ୍ୟ କୋଚ ନିଯୁକ୍ତ କରିଛି । ଏଥିସହ ଗୁରସାରାମ ସିଂହ ସହକାରୀ କୋଚ ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତି ।
ରାଜକୁମାର ଶର୍ମା ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କ ପିଲାଦିନର କୋଚ ଭାବେ ବେଶ ଜଣାଶୁଣା । ରାଜକୁମାର ପୂର୍ବତନ ରଣଜୀ ଖେଳାଳି ଭାବେ ନିଜ ସମୟରେ ବ୍ୟାଟ୍ସମ୍ୟାନ ଓ ବୋଲର ମଧ୍ୟ ରହିଛନ୍ତି । 9ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ଦିଲ୍ଲୀର ପ୍ରତିନିଧିତ୍ବ ମଧ୍ୟ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଅଭୁତପୂର୍ବ ସଫଳତା ପରେ ବର୍ଷ 2016ରେ ରାଜକୁମାର ଶର୍ମାଙ୍କୁ ଭାରତର ସରକାର ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ଆୱାର୍ଡରେ ସମ୍ମାନିତ କରିଛନ୍ତି ।
ଆଂଶୁ ଧାନି ଡିଡିସିଏ ଚୟନକର୍ତ୍ତା କମିଟିର ଚେୟାରମ୍ୟାନ ଓ ମୋହନ ଚତୁର୍ବେଦୀ, ଚେତନ୍ୟା ନନ୍ଦଙ୍କୁ ଚୟନ କମିଟିରେ ସ୍ଥାନ ମିଳିଛି ।
ଡିଡିସିଏ ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସଂପୂର୍ଣ୍ଣ ତାଲିକା ଜାରି କରିଛି । 2020 ଡିସେମ୍ବର 19ରେ କ୍ରିକେଟ ପରାମର୍ଶଦାତା କମିଟିର ସୁପାରିଶ ଆଧାରରେ 2020-21 ସିଜିନ ପାଇଁ ସିନିୟର ଟିମରେ ଏହି ନିଯୁକ୍ତି ହୋଇଛି ।
ଉମେଶ ଚିକାରାଙ୍କୁ ଟ୍ରେନର ଓ ଗଜେନ୍ଦ୍ର କୁମାର ନୂଆ ଫିଜିଓ ଭାବେ ଦାୟିତ୍ବ ମିଳିଛି । ପୂର୍ବରୁ ଡିଡିସିଏ ପକ୍ଷରୁ କ୍ରିକେଟ ଆଡଭାଇଜାରୀ କମିଟି(ସିଏସି)ର ଗଠନ ନେଇ ଘୋଷଣା କରାଯାଇଥିଲା । ଏଥି କମିଟିରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ରବିନ ସିଂହ ଜୁନିୟର, ପରବିନ୍ଦର ଆୱାନା ସଦସ୍ୟ ରହିଛନ୍ତି । ଏନେଇ ଡିଡିସିଏ ସଭାପତି ରୋହନ ଜେଟଲି ଏକ ବିବୃତିରେ କହିଛନ୍ତି ।
ଭାରତର ଘରୋଇ କ୍ରିକେଟ ସିଜିନ ଜାନୁଆରୀ 10ରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟି-20 ଟୁର୍ଣ୍ଣାମେଣ୍ଟରୁ ଆରମ୍ଭ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ