ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର 3ୟ ତଥା ଶେଷ ମ୍ୟାଚରେ 5 ସ୍ଥାନରେ ବ୍ୟାଟିଂ ଆସି ଶତକୀୟ ପାଳି ଖେଳିଥିଲେ ୱିକେଟକିପର ବ୍ୟାଟମ୍ୟାନ ତଥା ଦଳର ଅନ୍ୟତମ ଓପନର ଲୋକେଶ ରାହୁଲ । ତେବେ ଏମିତି କରି ସେ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନିଙ୍କ ସହ ସମକକ୍ଷ ହୋଇଛନ୍ତି । 2ୟ ଭାରତୀୟ ୱିକେଟକିପର ଭାବେ ସେ 5ମ ସ୍ଥାନରେ ବ୍ୟାଟିଂ ଆସି ଶତକ ଯୋଡିଛନ୍ତି ।
2017 କଟକ ବାରବାଟୀରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଧୋନି 5ମ ସ୍ଥାନରେ ବ୍ୟାଟିଂ ଆସି 134ରନ ଶକତୀୟ ପାଳି ଖେଳିଥିଲେ । ଭାରତ 6 ୱିକେଟରେ ବିଜୟୀ ହୋଇଥିଲା । ସେହିପରି ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ 5ମ ସ୍ଥାନରେ ବ୍ୟାଟିଂ ଆସି 112 ବଲରୁ 113ରନର ଶତକୀୟ ପାଳି ଖେଳିଥିଲେ । ମାତ୍ର ସିରିଜ ସହ ମ୍ୟାଚ ହାରିଥିଲା ଭାରତୀୟ ଦଳ । ଦୀର୍ଘ 31 ବର୍ଷ ପରେ କୌଣସି ଦିନିକିଆ ସିରିଜ ମୂଳପୋଛ ହୋଇଥିଲା ଟିମ ଇଣ୍ଡିଆ । ହେଲେ ଗତ ସିରିଜ ପରି ଏହି ସିରିଜରେ ମଧ୍ୟ ଭାରତୀୟ ଫ୍ୟାନ୍ସଙ୍କ ମନରେ ରାଜ କରୁଛନ୍ତି ସେହି ଜଣେ ଖେଳାଳି ।
ନାମ ଲୋକେଶ ରାହୁଲ, କେଏଲ ରାହୁଲ ଭାବେ ପରିଚିତ । ଦଳରେ ବ୍ୟାଟିଂ ସ୍ଥାନ ଓପନର, 3ନଂ, 5ନଂ ଅବା କୌଣସି ବି କ୍ରମରେ ସେ ବ୍ୟାଟିଂ କରିପାରନ୍ତି । ୱିକେଟ ପଛରେ ନିଜର ଗ୍ଲୋବ୍ସର ଚକମା ବି ଦେଖାଇ ଚାଲିଛନ୍ତି ।ତେବେ ଅଭିଜ୍ଞ ୱିକେଟକିପର ମହେନ୍ଦ୍ର ସିଂ ଧୋନି କ୍ରିକେଟଠାରୁ ଦୂରେଇ ରହିବା ପରେ ଦଳ ନିୟମିତ ୱିକେଟକିପର ଖୋଜରେ ରହିଥିଲା । ଯଦିଓ ପ୍ରଥମ ପସନ୍ଦ ଭାବେ ମ୍ୟାନେଜମେଣ୍ଟ ବୋର୍ଡ ଯୁବ ରିଷବ ପନ୍ତଙ୍କୁ ଗ୍ଲୋବସ ପିନ୍ଧାଇଥିଲା । କିନ୍ତୁ ଧୋନିଙ୍କ ଫୁର୍ତ୍ତିଲା ଅନ୍ଦାଜ ଦେଖାଇବାରେ ବିଫଳ ହୋଇଛନ୍ତି ପନ୍ତ । ବହୁବାର ଦୁର୍ବଳ ୱିକେଟକିପିଂର ପ୍ରଦର୍ଶନ କରି ପନ୍ତ ଟ୍ରୋଲ ହୋଇଥିବା ମଧ୍ୟ ସାମ୍ନାକୁ ଆସିଛି ।
16ଟି ଦିନିକିଆରେ ୱିକେଟକିପିଂ କରି 8ଟି କ୍ୟାଚ ଓ ମାତ୍ର ଗୋଟିଏ ଷ୍ଟମ୍ପିଂ କରିପାରିଛନ୍ତି ପନ୍ତ । ସେହିପରି 27ଟି ଟି-20ରେ ସେ 7ଟି କ୍ୟାଚ ଓ 4ଟି ଷ୍ଟମ୍ପିଂ କରିଛନ୍ତି । ଯେତେବେଳେ କି ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ନିୟମିତ ଭାବେ କିପିଂ କରି ଉଲ୍ଲେଖନୀୟ ପ୍ରଦର୍ଶନ ଦେଖାଇ ପାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ୱିକେଟକିପିଂ କରି ଗୋଟିଏ ଷ୍ଟମ୍ପିଂ ଓ ଦୁଇଟି କ୍ୟାଚ ନେଇଥିଲେ । ପରେ ପନ୍ତଙ୍କ ଅନୁପସ୍ଥିତିରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ଓ ଦିନିକିଆ ସିରିଜରେ ନିୟମିତ ଭାବେ ୱିକେଟକିପିଂ କରିଆସୁଛନ୍ତି । ଯେଉଁଠି ସେ 3ଟି ରନ ଆଉଟ ଓ ଦୁଇଟି କ୍ୟାଚ ନେବାରେ ସକ୍ଷମ ହୋଇଛନ୍ତି ।
ତେବେ ଦୁଇ ଓପନର ଶିଖର ଧୱନ-ରୋହିତ ଶର୍ମା, 3ୟରେ ଅଧିନାୟକ କୋହଲି ଓ 4ର୍ଥରେ ଯୁବ ଶ୍ରେୟସ ଆୟରା । ଏ ହେଉଛି ଭାରତୀୟ ବ୍ୟାଟିଂ ଲାଇନ ଅର୍ଡର । ତେବେ ଏହା ଭିତରେ ନିଜ ସ୍ଥାନ ଖୋଜି ନିଜ ବ୍ୟାଟରେ କମାଲ ଦେଖାଇବାରେ ମଧ୍ୟ ପଛାଇ ନାହାନ୍ତି ଏହି 27 ବର୍ଷିୟ ବ୍ୟାଟ୍ସମ୍ୟାନ । ଅଷ୍ଟ୍ରେଲିଆ ବିପକ୍ଷ 2ୟ ଦିନିକିଆରେ 5ମ ସ୍ଥାନରେ ବ୍ୟାଟିଂ ଆସି 52ବଲରୁ 80ରନର ପାଳି ଖେଳିଥିଲେ ରାହୁଲ । ସେହିପରି ପ୍ରଥମ ଦିନିକିଆରେ ପ୍ରଥମ ଦିନିକିଆରେ 3ୟ ସ୍ଥାନରେ ବ୍ୟାଟିଂ ଆସି 47ରନ ଓ 3ୟ ଦିନିକିଆରେ ରୋହିତଙ୍କ ସହ ଓପନ କରିଥିଲେ ରାହୁଲ । ଅନ୍ୟପଟେ ଚଳିତ ବର୍ଷର ଦଳର ପ୍ରଥମ ବିଦେଶ ଗସ୍ତ ବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆର ପ୍ରଥମ ମ୍ୟାଚରେ 5ମ ସ୍ଥାନରେ ବ୍ୟାଟିଂ ଆସି 88 ଅନ ଆଉଟ ଓ 3ୟ ମ୍ୟାଚରେ 112 ବଲରୁ 113ରନର ଶତକୀୟ ପାଳି ଖେଳିଥିଲେ ରାହୁଲ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜର ସମସ୍ତ ମ୍ୟାଚରେ ସେ ଓପନ କରିଥିଲେ । ତେବେ ରାହୁଲଙ୍କ ଏହି 360 ରୂପକୁ ନେଇ ତାଙ୍କ କୋଚ୍ ଜୟରାଜ କହିଛନ୍ତି, 1,2,3,4,5 ବା କୌଣସି ସ୍ଥାନରେ ବ୍ୟାଟିଂ ଆସି ରାହୁଲ ସଫଳ ହୋଇ ପାରିବେ ।
ତେବେ ଓପନିଂରୁ ମଧ୍ୟକ୍ରମ କୌଣସି ସ୍ଥାନରେ ବି ବ୍ୟାଟିଂ । ସେପଟେ ୱିକେଟ ପଛରେ ଗ୍ଲୋବସର କମାଲ । ସବୁଥରେ ଧୁରନ୍ଦର ଏହି କନଡ ଖେଳାଳି । ତେଣୁ ଧୋନିଙ୍କ ପରି ୱିକେଟକପିର ଜଣେ ବ୍ୟାଟ୍ସମ୍ୟାନ ଖୋଜରେ ଭାରତୀୟ ଦଳକୁ ମିଳିଗଲା କି 2ୟ ଧୋନି ? ଭାରତୀୟ ବ୍ୟାଟିଂ ଲାଇନ ଅର୍ଡର ଓ ୱିକେଟକିପିଂ ସମସ୍ୟାର ହୋଇଗଲା କି ସମାଧାନ ? ଏହି ସବୁ ପ୍ରଶ୍ନ ଏବେ ଭାରୀତୟ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି । ତେବେ ଆଗାମୀ ଟି-20 ବିଶ୍ବକପ ହିଁ ଫ୍ୟାନ୍ସଙ୍କ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜି ଦେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ