ନୂଆଦିଲ୍ଲୀ: ବିନା ଦର୍ଶକରେ ଆଇପିଏଲ ନେଇ କ୍ରିକେଟ ଦୁନିଆରୁ ମିଶ୍ର ପ୍ରତିକ୍ରିୟା ଆସିବାରେ ଲାଗିଛି । ଏହି କ୍ରମରେ ସାମିଲ ହୋଇଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ । ବିନା ଦର୍ଶକରେ ଆଇପିଏଲ, ଅତିଥି ବିନା ବିବାହ ଉତ୍ସବ ପରି ପ୍ରତୀତ ହେବ ବୋଲି ସେ କହିଛନ୍ତି ।
ତେବେ ମହାମାରୀ କୋରୋନା ଭାଇରସ ସଂକ୍ରମଣ କାରଣରୁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟ ସ୍ଥଗିତ କହିଛି । ଚଳିତ ବର୍ଷ ମାର୍ଚ୍ଚରେ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯାଇଥିଲା । 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ବିନା ଦର୍ଶକରେ ଖେଳାଯାଇଥିଲା । ତେବେ ଲୁକି ଫର୍ଗୁସନ ପଡିଆରୁ ଯାଇ ଦର୍ଶକ ଗ୍ୟାଲେରୀରେ ବଲ ଖୋଜୁଥିବାର ଦୃଶ୍ୟ ଖବରର ଶୀରୋନାମା ପାଲଟିଥିଲା । ଏହାପରେ ଅବଶିଷ୍ଟ 2ଟି ମ୍ୟାଚକୁ ବାତିଲ କରିଦିଆଯାଇଥିଲା ।
ଆଇପିଏଲର 13ତମ ସଂସ୍କରଣ ମାର୍ଚ୍ଚ 29ରୁ ଆରମ୍ଭ ହେବାନେଇ ସୂଚୀ ରହିଥିଲା । ମାତ୍ର କୋରୋନା ଭାଇରସ ଲକଡାଉନ କାରଣରୁ ଏହି ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟକୁ ପ୍ରଥମେ ଏପ୍ରିଲ 15 ଓ ପରେ ବିସିସିଆଇ ପକ୍ଷରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରାଯାଇଛି ।
ତେବେ ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରେ ଆଇପିଏଲ ନେଇ ଚର୍ଚ୍ଚା ହେବାରେ ଲାଗିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନ ଗୁଡିକୁ ଚିଠି ଲେଖି ପ୍ରସ୍ତୁତ ରହିବାକକୁ ପରାମର୍ଶ ଦେଇଛନ୍ତି । ତେବେ ସଂକ୍ରମଣ ଭୟ ଯୋଗୁଁ, ବିନା ଦର୍ଶକରେ ଆଇପିଏଲ ଆୟୋଜନ ନେଇ ବିସିସିଆଇ ବିଚାର କରୁଥିବା କୁହାଯାଉଛି । ମାତ୍ର ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଆଇସିସି ଟି-20 ବିଶ୍ବକପ ଖେଳାଯିବା ନେଇ ସୂଚୀ ରହିଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଟି-20 ବିଶ୍ବକପ ନେଇ ଚୂଡାନ୍ତ ନିଷ୍ପତି ସ୍ପଷ୍ଟ କରିନାହିଁ । ମାତ୍ର ଅଷ୍ଟ୍ରେଲିଆ ସରକାର 40,000 ଦର୍ଶକ କ୍ଷମତା ଥିବା ଷ୍ଟାଡିୟମରେ 10,000 ଦର୍ଶକଙ୍କୁ ଅନୁମତି ମିଳିପାରିବ ବୋଲି ଘୋଷଣା କରିଛନ୍ତି । ଏହାପରେ ଅଷ୍ଟ୍ରେଲିଆରେ ଟି-20 ବିଶ୍ବକପ ସମ୍ଭାବନା ବୃଦ୍ଧିପାଇଛି । ତେବେ ସମାନ ସମୟର ଆଇପିଏଲ ଆୟୋଜନ ପାଇଁ ବିସିସିଆଇ ଚିନ୍ତା କରୁଥିବାରୁ, ଆଇସିସିର ନିିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।