ହାଇଦ୍ରାବାଦ: ରୋମାଞ୍ଚ ଭରା ମୁକାବିଲା ଥିଲା ଆଇପିଏଲ ଚଳିତ ସିଜନର ଫାଇନାଲ ମ୍ୟାଚ । ଶେଷ ବଲରେ ଓ 1 ରନରେ ମ୍ୟାଚ ବିଜୟୀ ହୋଇଛି ରୋହିତ ବ୍ରିଗେଡ । ବିଜୟ ସହ ଆଇପିଏଲ ଇତିହାସରେ 4ର୍ଥ ଥର ଟ୍ରଫି ଟେକିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏହି ମାମଲାରେ କ୍ୟାପ୍ଟେନ କୁଲ ଧୋନିଙ୍କୁ ପଛରେ ପକାଇଛନ୍ତି ହିଟମ୍ୟାନ ରୋହିତ ଶର୍ମା ।
ଆଇପିଏଲ ଇତିହାସରେ ଚାରିଥର ଟ୍ରଫି ହାସିଲ କରିବାରେ ରୋହିତ ହୋଇଛନ୍ତି ପ୍ରଥମ ଅଧିନାୟକ । ଯେତେବେଳେ କି 4ର୍ଥ ଥର ପାଇଁ ଟାଇଟଲ ଜିତିବାରୁ ବଞ୍ଚିତ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନି । ଏହା ପୂର୍ବରୁ ଚେନ୍ନାଇ ଓ ମୁମ୍ବାଇ ସବୁଠୁ ଅଧିକ ମିଳିତ ଭାବେ ତିନୋଟି ଲେଖାଏଁ ଟାଇଟଲ ନିଜ ନାମରେ କରିବାରେ ସଫଳ ହୋଇଥିଲେ । ମାତ୍ର 2019 ଟ୍ରଫି ଜିତି ରୋହିତ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭ ଓ ୨୦୧୯ ଆଇପିଏଲରେ ଚାମ୍ପିଅନ ହୋଇଛି । ମୁମ୍ବାଇକୁ ଏହି ସବୁ ଟାଇଟଲ ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ହିଁ ମିଳିଛି । ସେହିପରି ଚେନ୍ନାଇ ସୁପରକିଙ୍ଗ୍ସ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ଵରେ ୨୦୧୦, ୨୦୧୧ ଓ ୨୦୧୮ରେ ଟାଇଟଲ ଜିତିଥିଲା ।
ତେବେ ପ୍ରଥମେ ମୁମ୍ବାଇ ଟସ ଜିତି ନିର୍ଦ୍ଧାରିତ 20 ଓଭରରେ 149 ରନ କରିଥିଲା । 150 ରନର ଟାଗେର୍ଟକୁ ପିଛା କରି ଶେଷ ବଲରେ ୱିକେଟ ହରାଇ ଫାଇନାଲ ହାରିଛି ଚେନ୍ନାଇ ସୁପର କିଙ୍ଗ୍ସ ।
ତେବେ ନଜର ପକାନ୍ତୁ ଆଇପିଏଲ ଟ୍ରଫି ତାଲିକା ଉପରେ
- ମୁମ୍ବାଇ ଇଣ୍ଡିଆନ୍ସ- ୪ ଥର(୨୦୧୩, ୨୦୧୫, ୨୦୧୭, ୨୦୧୯)-ଅଧିନାୟକ ରୋହିତ ଶର୍ମା
- ଚେନ୍ନାଇ ସୁପରକିଙ୍ଗ୍ସ- ୩ ଥର(୨୦୧୦, ୨୦୧୧ ଓ ୨୦୧୮)-ଅଧିନାୟକ ମହେନ୍ଦ୍ର ସିଂହ ଧୋନି
- କୋଲକାତା ନାଇଟ ରାଇଡର୍ସ- ୨ ଥର(୨୦୧୨ ଓ ୨୦୧୪)-ଅଧିନାୟକ ଗୌତମ ଗମ୍ଭୀର
- ସନରାଇଜର୍ସ ହାଇଦ୍ରାବାଦ-ଗୋଟିଏଥର (୨୦୧୬)-ଅଧିନାୟକ ଡେଭିଡ ଓ୍ଵାର୍ଣ୍ଣର
- ଡେକାନ ଚାର୍ଜର୍ସ- ଗୋଟିଏଥର (୨୦୦୯)-ଅଧିନାୟକ ଆଡାମ ଗିଲଖ୍ରୀଷ୍ଟ
- ରାଜସ୍ଥାନ ରୟାଲ୍ସ- ଗୋଟିଏଥର (୨୦୦୮)-ଅଧିନାୟକ ସେନ ଓ୍ଵାର୍ଣ୍ଣ