ଦୁବାଇ: ଧୀମା ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) କ୍ୟାପଟେନ ବିରାଟ କୋହଲି । ଚଳିତ ଆଇପିଏଲରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ କୋହଲିଙ୍କ ଟିମ ଆରସିବି ଧୀମା ବୋଲିଂ କରିଥିଲା । ଫଳରେ କୋହଲିଙ୍କୁ 12 ଲକ୍ଷ ଟଙ୍କା ଜୋରିମାନା ହୋଇଛି ।
"ଦୁବାଇରେ 24 ସେପ୍ଟେମ୍ବରରେ ଖେଳାଯାଇଥିବା ଆଇପିଏଲ 2020ର କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ଟିମ ଧୀମା ବୋଲିଂ କରିଥିବାରୁ ଆରସିବି କ୍ୟାପଟେନ ବିରାଟ କୋହଲିଙ୍କୁ ଜୋରିମାନା ହୋଇଛି ।" ଏକ ଘୋଷଣାନାମାରେ ଇଣ୍ଡିଆନ ପ୍ରିମିୟର ଲିଗ ପକ୍ଷରୁ ଏହା କୁହାଯାଇଛି ।
ଗୁରୁବାର ଖେଳାଯାଇଥିବା ପଞ୍ଜାବ ବିପକ୍ଷ ମ୍ୟାଚରେ 97 ରନର ବଡ ପରାଜୟ ଭୋଗିଥିଲା କୋହଲିଙ୍କ ବାଙ୍ଗାଲୋର ଟିମ ।
ପଞ୍ଜାବ କ୍ୟାପଟେନ କେଏଲ ରାହୁଲ 69 ବଲରୁ ଧୁଆଁଦାର 132 ରନର ଶତକୀୟ ଇଂନିସ ଖେଳିଥିଲେ । ଏହି ସ୍କୋର ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସରେ ଭାରତୀୟ ଖେଳାଳି ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ।
ଫଳରେ ଆରସିବି ସାମ୍ନାରେ 207 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ପଞ୍ଜାବ । ପରେ ସ୍ପିନର ରବି ବିଷ୍ଣୋଇ ଓ ମୁରୁଗାଁ ଅଶ୍ବିନୀ 3ଟି ଲେଖାଏଁ ୱିକେଟ ହାସଲ କରି ଆରସିବିକୁ ମାତ୍ର 109 ରନରେ ଅଟକାଇଥିଲେ । ଆରସିବି ସେପ୍ଟେମ୍ବର 28ରେ ପରବର୍ତ୍ତୀ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ