ଶାରଜାହ: ଆଇପିଏଲ 2020ର 46ତମ ମୁକାବିଲାରେ କିଙ୍ଗ୍ସ ଇଲେଭନ ପଞ୍ଜାବ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଟସ ଜିତି ପଞ୍ଜାବ କ୍ୟାପଟେନ କେଏଲ ରାହୁଲ, କୋଲକାତାକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ କେକେଆର 149 ରନ ସଂଗ୍ରହ କରିପାରିଛି । ଫଳରେ ପଞ୍ଜାବ ସାମ୍ନାରେ 150 ରନର ବିଜୟ ଲକ୍ଷ୍ୟ ରହିଛି ।

କେକେଆର ପକ୍ଷରୁ ଶୁଭମନ ଗିଲ 45 ବଲରୁ 3 ଚୌକା ଓ 4 ଛକା ସହାୟତାରେ ସର୍ବାଧିକ 57 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । କ୍ୟାପଟେନ ଇଆନ ମୋର୍ଗାନ 25 ବଲରୁ 5 ଚୌକା ଓ 2 ଛକା ସହାୟତାରେ ଦ୍ରୁତ 40 ରନର ଇଂନିସ ଖେଳିଛନ୍ତି । ଶେଷ ଭାଗରେ ଅଲରାଉଣ୍ଡର ଲୁକି ଫର୍ଗୁସନ 24ରନର ଉପଯୋଗୀ ଯୋଗଦାନ କରିଛନ୍ତି । ତେବେ ଅନ୍ୟ କୌଣସି କେକେଆର ବ୍ୟାଟ୍ସମ୍ୟାନ ସଫଳ ହୋଇନାହାଁନ୍ତି । ନୀତିଶ ରାଣା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ, ସୁନୀଲ ନାରିନ ଫେଲ ମାରିଛନ୍ତି ।
ଅନ୍ୟପଟେ ପଞ୍ଜାବ ବୋଲର ପୁଣିଥରେ ଘାତକ ବୋଲିଂର ପ୍ରଦର୍ଶନ କରିଛନ୍ତି । ମହମ୍ମଦ ସାମି 3ଟି ୱିକେଟ ଅକ୍ତିଆର କରି କୋଲକାତା ବ୍ୟାଟିଂ ଲାଇନଅପକୁ ଧ୍ବସ୍ତ କରିଛନ୍ତି । କ୍ରିସ ଜୋର୍ଡାନ ଓ ରବି ବିଷ୍ଣୋଇ 2ଟି ଲେଖାଏଁ ଓ ଗ୍ଳେନ ମାକ୍ସୱେଲ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ