ହାଇଦ୍ରାବାଦ: ଆଇପିଏଲର 13ତମ ସଂସ୍କରଣ ୟୁଏଇରେ ଆୟୋଜନ କରିବା ପରେ, ପରବର୍ତ୍ତୀ ସଂସ୍କରଣ ନେଇ ଘୋଷଣା କରିଛି ବିସିସିଆଇ । ସଭାପତି ସୌରଭ ଗାଙ୍ଗୁଲି ଆଇପିଏଲ 2021 ତଥା ବିଶ୍ବର ବିତ୍ତଶାଳୀ କ୍ରିକେଟ ଲିଗର 14ତମ ସଂସ୍କରଣ ଭାରତରେ ଖେଳାଯିବ ବୋଲି ସ୍ପଷ୍ଟ କରିଛନ୍ତି । ପୂର୍ବ ବର୍ଷ ପରି ଏହି ମେଗା ଟୁର୍ଣ୍ଣାମେଣ୍ଟ ଭାରତ ଫେରିବା ସହ ଏପ୍ରିଲରେ ଖେଳାଯିବା ନେଇ ସଙ୍କେତ ଦେଇଛନ୍ତି ।
ବିସିସିଆଇର ସମସ୍ତ ଅନୁବନ୍ଧିତ ସଦସ୍ୟଙ୍କୁ ଲେଖିଥିବା ଚିଠିରେ ଗାଙ୍ଗୁଲି, ଆଗାମୀ ବର୍ଷରୁ ଭାରତ ଟୁ୍ର୍ଣ୍ଣାମେଣ୍ଟ ଆୟୋଜନ ଆରମ୍ଭ କରିବ ବୋଲି ଉଲ୍ଲେଖ କରିଛନ୍ତି । ଏହା ମଧ୍ୟରେ ଟି-20 ବିଶ୍ବକପ ଓ ଦିନିକିଆ ବିଶ୍ବକପ ମଧ୍ୟ ରହିଛି । ଭାରତ ବିରାଟ ବାହିନୀ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ, 2021 ଫେବୃଆରୀରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜର ଆୟୋଜନ ରାଜ୍ୟ କ୍ରିକେଟ ଆସୋସିଏସନ କରିବେ ।
ମହାମାରୀ କୋରୋନା ଭାଇରସ କାରଣରୁ ଆଇପିଏଲର 13ତମ ସଂସ୍କରଣ ୟୁଏଇରେ ସେପ୍ଟେମ୍ବର 19ରୁ ନଭେମ୍ବର 10 ପର୍ଯ୍ୟନ୍ତ ଆୟୋଜନ କରୁଛି ।
ତେବେ ଦେଶରେ କରୋନା ସ୍ଥିତି ସୁଧୁରିବା ପରେ ଘରୋଇ କ୍ରିକେଟ ଆରମ୍ଭ ହେବ । ଆଗାମୀ କିଛି ମାସ ମଧ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ ହେବ ଏବଂ ଏକ ନିରାପଦ ଓ ସୁସ୍ଥ ବାତାବରଣରେ ଘରୋଇ କ୍ରିକେଟ ଆରମ୍ଭ ହେବ ବୋଲି ବୋର୍ଡ ଆଶାବାଦୀ ଥିବା ଗାଙ୍ଗୁଲି ଚିଠିରେ ଉଲ୍ଲେଖ କରିଛନ୍ତି ।
ଆଇପିଏଲ-13 ପରେ ଭାରତୀୟ ଟିମର ଅଷ୍ଟ୍ରେଲିଆ ଗସ୍ତ ରହିଛି । ଅକ୍ଟୋବର 11, 14, 17ରେ 3ଟିକିଆ ଦିନିକିଆ ସରିଜ ରହିଛି । ପରେ ଡିସେମ୍ବର 3ରୁ 4 ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ସୂଚୀ ରହିଛି । ଏହାପରେ ଜାନୁଆରୀ 12, 15,ଓ 17ରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ