ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଶେଷ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି । ସ୍ପିନରଙ୍କ ଦମଦାର ପ୍ରଦର୍ଶନ ବଳରେ ଭ୍ରମଣକାରୀ ଦଳକୁ 205 ରନରେ ଅଲଆଉଟ କରିବାପରେ, ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ଓପନର ଶୁଭମନ ଗିଲ୍ଙ୍କ ୱିକେଟ ହରାଇ 24 ରନ କରିଛି । ରୋହିତ ଶର୍ମା 8 ଓ ଚେତେଶ୍ବର ପୂଜାରା 15 ରନରେ ଅପରାଜିତ ଅଛନ୍ତି । ଗିଲ୍ ବିନା କୌଣସି ରନ୍ କରିବା ପୂର୍ବରୁ ଇଂନିସର ତୃତୀୟ ବଲ୍ରେ ଜେମ୍ସ ଆଣ୍ଡରସନଙ୍କ ଶିକାର ହୋଇଥିଲେ ।
ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେବାପରେ ସିରିଜରେ ଦ୍ବିତୀୟ ଥର ପାଇଁ 200 ରନ ଅତିକ୍ରମ କରିବାରେ ସଫଳ ହୋଇଥିଲା ଭ୍ରମଣକାରୀ ଦଳ ।
ପୁଣି ଥରେ ସିରିଜରେ ଭାରତୀୟ ସ୍ପିନରଙ୍କ ସାମ୍ନାରେ ଇଂଲିସ ବ୍ୟାଟ୍ସମ୍ୟାନ ସଂଘର୍ଷ କରିଥିଲେ । ତେବେ ଅଲରାଉଣ୍ଡର ବେନ ଷ୍ଟୋକ୍ସ 55 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିବାକୁ ସମର୍ଥ ହୋଇଥିଲେ । ଅକ୍ଷର ପଟେଲ 68 ରନରେ 4ଟି ଓ ରବିଚନ୍ଦ୍ରନ ଅଶ୍ବିନ 3ଟି ୱିକେଟ ହାସଲ କରିବା ସହ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ । ଶେଷ ଭାଗରେ ଡାନ ଲରେନ୍ସଙ୍କ ଲଢୁଆ 46 ରନ୍ ବଳରେ ଇଂଲଣ୍ଡ 200 ରନ ପାର୍ କରିବାକୁ ସମର୍ଥ ହୋଇଥିଲା । ମହମ୍ମଦ ସିରାଜ 45 ରନ ବ୍ୟୟରେ 2ଟି ଓ ୱାସିଂଟନ ସୁନ୍ଦର ଗୋଟିଏ ୱିକେଟ ହାତେଇଥିଲେ ।
ଭାରତୀୟ ଟିମ ସିରିଜରେ 2-1ରେ ଆଗୁଆ ରହିଥିବାବେଳେ, ଜୁନରେ ଖେଳାଯିବାକୁ ଥିବା ୱାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଶେଷ୍ଟ ଟେଷ୍ଟରେ ଡ୍ର କିମ୍ବା ବିଜୟ ଆବଶ୍ୟକ କରୁଛି ।
ସଂକ୍ଷୀପ୍ତ ସ୍କୋର: 75.5 ଓଭରରେ ଇଂଲଣ୍ଡ ଅଲଆଉଟ(ବେନ ଷ୍ଟୋକ୍ସ, ଡାନିଏଲ ଲରେନ୍ସ 46, ଓଲି ପୋପ 29, ଅକ୍ଷର ପଟେଲ 4/68, ରବିଚନ୍ଦ୍ରନ ଅଶ୍ବିନ 3/47, ମହମ୍ମଦ ସିରାଜ 2/45)
ଭାରତ ପ୍ରଥମ ଇଂନିସ: 12 ଓଭରରେ 24 ରନ( ଚେତେଶ୍ବର ପୂଜାରା1 15, ରୋହିତ ଶର୍ମା 8; ଜେମ୍ସ ଆଣ୍ଡରସନ 1/0 )
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ