ହାମିଲଟନ: ଆସନ୍ତାକାଲି ଏଠାରେ ଖେଳାଯିବ ନିର୍ଣ୍ଣାୟକ ଟି-୨୦ ମୁକାବାଲା । ୱେଲିଂଟନ୍ ହାରକୁ ଅକଲାଣ୍ଡରେ ଜବାବ ଦେଇଥିଲା ଭାରତ । ଆଉ ଏବେ ହାମିଲଟନ ଉପରେ ନଜର । ସିରିଜକୁ 1-1ରେ ବରାବର ରଖିଥିବା ରୋହିତ ବାହିନୀ ଯଦି କାଲିର ମ୍ୟାଚ ଜିତୁଛି, ତେବେ ନ୍ୟୁଜିଲାଣ୍ଡ ମାଟିରେ କୌଣସି ଟି-20 ସିରିଜକୁ ହାତେଇବାରେ ପ୍ରଥମ ଭାରତୀୟ ଅଧିନାୟକ ବନିବେ ରୋହିତ ଶର୍ମା ।
ସେହିପରି ସିରିଜ ଜିତି ଦୀର୍ଘ ଚାରିମାସର ବିଦେଶ ଯାତ୍ରାରୁ ଅଜୟ ହୋଇ ଘରକୁ ଫେରିବ ଭାରତୀୟ ଦଳ । ଅନ୍ୟପଟେ ଟି-20 ମାନ୍ୟତାର ଶୀର୍ଷରେ ଥିବା ନିଜର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ମଧ୍ୟ ସମକକ୍ଷ ହେବ ଭାରତ ।
ସେହିପରି ଭାରତୀୟ ଦଳର ଫର୍ମ ବି ଏବେ ଫୁଲ ଫିଟ୍ । 2ୟ ଟି20ରେ ରୋହିତଙ୍କ ବଲ୍ଲା ଖୋଲିଛି । ଧୋନି ବି ମଧ୍ୟକ୍ରମରେ ଫିଟ ଅଛନ୍ତି । ଆଉ ତାଙ୍କ ସାଥିରେ ଅଛନ୍ତି ଯୁବ ଋଷବ ପନ୍ତ । ବୋଲିଂ ବିଭାଗରେ କୃଣାଲ ଓ ଭୁବି ମଧ୍ୟ ନିଜ କମଲା ଦେଖାଉଛନ୍ତି । ମାତ୍ର ଭୁଲି ହେବ ନାହିଁ ଏ ହେଉଛି ସେହି ହେମିଲଟନ ଗ୍ରାଉଣ୍ଡ । ଯେଉଁଠି 4ର୍ଥ ଦିନିକିଆରେ ଘରୋଇ ଦଳର ଟ୍ରଣ୍ଟ ବୋଲ୍ଟ ନିଜର ସୁଇଙ୍ଗ ବଳରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଧୂଳି ଚଟାଇଥିଲେ ।
ତେବେ ଅପେକ୍ଷା କେବଳ କାଲିକୁ, କଣ ରହୁଛି ରୋହିତଙ୍କ ଗେମ ପ୍ଲାନ୍ ଆଉ କାହାକୁ ନେଇ ପଡିଆକୁ ଓହ୍ଲାଇବେ କାମଚଳା ଅଧିନାୟକ ।
ବ୍ୟୁରୋ ଇନପୁଟ, ଇଟିଭି ଭାରତ