ପୁଣେ: ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟି-20 ମ୍ୟାଚ ଖେଳିବ ଭାରତ । ତେବେ ମ୍ୟାଚ ପୂର୍ବରୁ ଟିମରେ ଦେଖା ଦେଇଛି ଦ୍ବନ୍ଦ୍ବ । ଦ୍ବିତୀୟ ମ୍ୟାଚ ଜିତାଇଥିବା ଟିମ ସହ ଖେଳିବେ ନା ଟିମରେ ପରିବର୍ତ୍ତନ କରି ସଞ୍ଜୁ ସାମସନ ଓ ମନିଷ ପାଣ୍ଡେଙ୍କୁ ଖେଳାଇବେ ସେନେଇ ଟେନସନରେ ଟିମ୍ ଇଣ୍ଡିଆ । ଶୁକ୍ରବାର ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନରେ ଏହି ମ୍ୟାଚ ଖେଳାଯିବ ।
ଇନ୍ଦୋର ଠାରେ ଖେଳାଯାଇଥିବା ଦ୍ବିତୀୟ ଟି-20ରେ ଶ୍ରୀଲଙ୍କାର ଦୁର୍ବଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ତେବେ ଏହାକୁ ଲକ୍ଷ୍ୟ ରଖି ପାଣ୍ଡେ ଓ ସାମସନଙ୍କୁ ସାମିଲ କରିବା ଲକ୍ଷ୍ୟ ରଖିଛି ଭାରତୀୟ ଟିମ । ପାଣ୍ଡେ ଚଳିତ ସିରିଜ ସହ ଗତ ତିନୋଟି ସିରିଜରେ କେବଳ ଗୋଟିଏ ମ୍ୟାଚ ଖେଳିଛନ୍ତି। ସେପଟେ ନଭେମ୍ବରରେ ବାଂଲାଦେଶ ସିରିଜରେ ଟିମକୁ ଫେରିଥିବା ସାମସନଙ୍କୁ ଗୋଟିଏ ବି ମ୍ୟାଚ ଖେଳିବାର ମଉକା ମିଳିନାହିଁ ।
ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-20 ବିଶ୍ବକପକୁ ଦୃଷ୍ଟିରେ ରଖି ଭାରତ ଦଳରେ ସବୁବେଳେ କିଛି ନା କିଛି ପ୍ରୟୋଗ କରି ଆସୁଛି, ତେବେ ଏହି ଖେଳାଳିଙ୍କର ପରୀକ୍ଷା ନେବା ବାକି ରହିଛି । ସେପଟେ ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଶାର୍ଦ୍ଦୁଳ ଠାକୁର ଓ ନବଦୀପ ସଇନୀଙ୍କ ପାଇଁ ନିଜର ପ୍ରଭାବ ଦେଖାଇବାର ଭଲ ମଉକା ରହିଛି । ଉଭୟେ ମିଶି ଗତ ମ୍ୟାଚରେ ପାଞ୍ଚଟି ୱିକେଟ ମଧ୍ୟ ନେଇଛନ୍ତି ।
ୱାସିଂଟନ ସୁନ୍ଦର ଓ ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ନିଜ ପ୍ରଦର୍ଶନ ଦେଖାଇବାକୁ ସୁଯୋଗ ଦିଆଯାଇଥିଲା । ଇନ୍ଦୋରରେ ବିଜୟ ପରେ ଅଧିନାୟକ କୋହଲି କହିଥିଲେ ଯେ ଟିମ ପ୍ରତି ମ୍ୟାଚ ପରେ ଅଧିକ ମଜବୁତ ହେଉଛି ।
ସାମସନ ଓ ପାଣ୍ଡେ ଖେଳିବାକୁ ସୁଯୋଗ ନପାଇ ନିରାଶ ରହିଥିବେ କିନ୍ତୁ ଶୁକ୍ରବାର ତାଙ୍କୁ ସୁଯୋଗ ମିଳିପାରେ । ତେବେ ଟିମ ମ୍ୟାନେଜମେଣ୍ଟ ସିରିଜ ଜିତିବା ଲକ୍ଷ୍ୟରେ ଟିମ ଚୟନ କରିବ ।
ତେବେ ଜସପ୍ରୀତ ବୁମରା ମଙ୍ଗଳବାର ମ୍ୟାଚକୁ ଫେରିଥିଲେ ମଧ୍ୟ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲେ କିନ୍ତୁ ଶେଷ ମ୍ୟାଚରେ ସେ ନିଶ୍ଚିତ ଭଲ କରିବାକୁ ଚେଷ୍ଟା କରିବେ ।
ଇନ୍ଦୋରରେ ଠାକୁର ଓ ସଇନି ନିଜ ପ୍ରଦର୍ଶନରେ ପ୍ରଭାବିତ କରିଥିଲେ । ଠାକୁର ଡେଥ ଓଭରରେ ଭଲ ପ୍ରଦର୍ଶନ କରିଥିବା ବଳେ ସଇନି ନିଜ ଗତି ଓ ବାଉନ୍ସରେ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେଇଥିଲେ । ଶ୍ରୀଲଙ୍କା ଟିମରେ ଅଧିକ ବାମହାତି ବ୍ୟାଟ୍ସମ୍ୟାନ ରହିଛନ୍ତି, ତେଣୁ ସ୍ପିନର କୁଲଦୀପ ଯାଦବ ଓ ୱାସିଂଟନ ସୁନ୍ଦରଙ୍କୁ ଟିମରେ ସ୍ଥାନ ଦିଆଯିବା ସୁନିଶ୍ଚିତ ରହିଛି । ଏପରି ସ୍ଥିତିରେ ଜାଡେଜା ଓ ଚହଲଙ୍କୁ ବାହାରେ ବସିବାକୁ ପଡିପାରେ ।
ସେପଟେ ଘରୋଇ ଟିମ ଉପରେ ଚାପ ପାକାଇବାକୁ ହେଲେ ଶ୍ରୀଲଙ୍କାକୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ହେବ । ବ୍ୟାଟ୍ସମ୍ୟାନଙ୍କୁ ଭଲ ଆରମ୍ଭ କରି ଅଧିକ ସମୟ ପର୍ଯ୍ୟନ୍ତ ମ୍ୟାଚରେ ତିଷ୍ଟି ରହିବାକୁ ହେବ । ତେବେ ଅଲରାଉଣ୍ଡର ଇସୁରୁ ଉଦାନାଙ୍କ ଆହତ ହେବା ଟିମ ପାଇଁ ଏକ ଝଟକା ।
ଉଭୟ ଟିମ-
ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧୱନ, ଲୋକେଶ ରାହୁଲ, ଶ୍ରେୟସ ଅୟର, ମନିଷ ପାଣ୍ଡେ, ସଞ୍ଜୁ ସାମସନ, ଋଷଭ ପନ୍ତ (ୱିକେଟ କିପର), ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମରା, ଶାର୍ଦ୍ଦୁଲ ଠାକୁର, ନବଦୀପ ସଇନୀ ଓ ୱାସିଂଟନ
ଶ୍ରୀଲଙ୍କା: ଲସିଥ ମଲିଙ୍ଗା, ଧନୁସ୍କା ଗୁଣତିଲକ, ଇବିସ୍କା ଫର୍ଣ୍ଣାଣ୍ଡୋ, ଏଞ୍ଜେଲୋ ମାଥ୍ୟୁସ, ଦାସୁନ ଶନାକା, କୁଶଲ ପରେରା, ନିରୋଶନ ଡିକୱେଲା, ଧନଞ୍ଜୟ ଡିସିଲଭା, ଇସରୁ ଉଦାନା, ଭାନୁକା ରାଜପକ୍ଷେ, ଓଶଦା ଫର୍ଣ୍ଣାଣ୍ଡୋ, ୱାନିନ୍ଦୁ ହସରଙ୍ଗା, କୁଶଲ ମେଣ୍ଡିସ, ଲାହିରୁ କୁମାରା, ଲକ୍ଷଣ ସନ୍ଦାକନ ଓ କସୁନ ରାଜିତା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ