ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ବର୍ଷ 1932ରୁ ଟେଷ୍ଟ କ୍ରିକେଟ ଖେଳ ଆରମ୍ଭ ହୋଇଛି । ଏଯାବତ ଦୁଇ ଦେଶ ମଧ୍ୟରେ 122ଟି ଟେଷ୍ଟ ଖେଳାଯାଇ ସାରିଥିବାବେଳେ, ଏହା ମଧ୍ୟରେ ରହିଛି ଅନେକ ସ୍ମରଣୀୟ ବ୍ୟାଟିଂ ପ୍ରଦର୍ଶନ ।
ବିରାଟ କୋହଲିଙ୍କ ନେତୃତ୍ବରେ ଟିମ ଇଣ୍ଡିଆ, ବହୁ ପ୍ରତିକ୍ଷିତ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୋ ରୁଟ୍ଙ୍କ ଇଂଲଣ୍ଡ ଟିମ ବିପକ୍ଷରେ ଖେଳିବ । ଫେବ୍ରୁଆରୀ 5ରୁ ଚେନ୍ନାଇରେ ପ୍ରଥମ ଟେଷ୍ଟ ଖେଳାଯିବ । ଏହି ହାଇଭୋଲଟେଜ ସିରିଜକୁ ନେଇ କ୍ରିକେଟ ପାଣିପାଗ ଉଷ୍ମ ହେବାରେ ଲାଗିଲାଣି ।
ତେବେ ନଜର ପକାନ୍ତୁ ଦୁଇ ଟିମର ଇତିହାସରେ ଶ୍ରେଷ୍ଠ 5ଟି ବ୍ୟକ୍ତିଗତ ବ୍ୟାଟିଂ ପ୍ରଦର୍ଶନ ଉପରେ...
1. ଗ୍ରାହାମ ଗୋଚ୍ 333(ଲର୍ଡ୍ସ, ଲଣ୍ଡନ, 1990)
3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଗୋଚ୍ 333 ରନର ମାରାଥନ ଇଂନିସ ଖେଳିଥିଲେ । ଗୋଚ୍ ମାତ୍ର 36 ରନରେ ବ୍ୟାଟିଂ କରୁଥିବାବେଳେ, ୱିକେଟକିପର କିରଣ ମୋରେ ତାଙ୍କର କ୍ୟାଚ ହାତଛଡା କରିଥିଲେ । ଫଳରେ 485 ବଲର ସାମ୍ନା କରିବା ସହ ଗୋଚ୍ ତ୍ରିଶତକ ହାସଲ କରିଥିଲେ । ଇଂଲଣ୍ଟ 653/4ରେ ଇଂନିସ ଘୋଷଣା କରିଥିଲା । ଜବାବରେ ଭାରତ 454 ରନ କରିଥିଲା । ବର୍ତ୍ତମାନ ଭାରତୀୟ ଟିମର ମୁଖ୍ୟ କୋଚ ଥିବା ରବି ଶାସ୍ତ୍ରୀ ଦମଦାର ଶତକ(100) ଓ ତତ୍କାଳୀନ ଭାରତୀୟ କ୍ୟାପଟେନ ମହମ୍ମଦ ଆଝରୁଦ୍ଦିନ 121 ରନର ମାରାଥନ ଇଂନିସ ଖେଳିଥିଲେ । ପରେ 272/4ରେ ଇଂଲଣ୍ଡ ଦ୍ବିତୀୟ ଇଂନିସ ଘୋଷଣା କରିଥିଲା । ମାତ୍ର ଭାରତ ପ୍ରଥମ ଇଂନିସର ପୁନରାବୃତ୍ତି ଦ୍ବିତୀୟ ଇଂନିସରେ କରିପାରିନଥିଲା । ମାତ୍ର 224 ରନରେ ଅଲଆଉଟ ହେବାସହ 247 ରନରେ ପରାସ୍ତ ହୋଇଥିଲା ।
2. କରୁଣ ନାୟର ଅପରାଜିତ 303* (ଏମଏ ଚିଦାମ୍ବରମମ୍ ଷ୍ଟାଡିୟମ, ଚେନ୍ନାଇ, 2016)
କ୍ୟାରିୟରର ତୃତୀୟ ଟେଷ୍ଟ ଖେଳୁଥିବା କରୁଣ ନାୟର ଦ୍ବିତୀୟ ବ୍ୟାଟ୍ସମ୍ୟାନ ଭାବେ ବିରେନ୍ଦ୍ର ସେହ୍ବାଗଙ୍କ ପରେ ତ୍ରିଶତକ ହାସଲ କରିଥିଲେ । ବର୍ଷ 2016ରେ ଏମଏ ଚିଦାମ୍ବରମମ୍ ଷ୍ଟାଡିୟମ, ଚେନ୍ନାଇରେ 32 ଚୌକା ଓ 4 ଛକା ସହାୟତାରେ ଅପରାଜିତ 303 ରନର ଇଂନିସ ଖେଳିଥିଲେ ।
ନାୟରଙ୍କ ଏହି ଚମତ୍କାର ଇଂନିସ ବଳରେ ଭାରତ ଟେଷ୍ଟ କ୍ରିକେଟରେ ତା'ର ସର୍ବଶ୍ରେଷ୍ଠ ସ୍କୋର 759/7ରେ ପ୍ରଥମ ଇଂନିସ ଘୋଷଣା କରିଥିଲା । ପରେ ଜବାବରେ ଇଂଲଣ୍ଡ 477 ରନ କରିପାରିଥିଲା । ପରେ ଇଂଲଣ୍ଡକୁ 207 ରନରେ ଅଲଆଉଟ କରି 75 ରନରେ ମ୍ୟାଚ ଜିତିଥିଲା ଭାରତ ।
3. ଆଲିଷ୍ଟାର କୁକ୍ 294 (ଏଜବାଷ୍ଟନ, ବର୍ମିଂହାମ, 2011)
224 ରନରେ ଭାରତକୁ ଅଟକାଇବା ପରେ 2011 ଏଜବାଷ୍ଟନ ଟେଷ୍ଟରେ, ବାମହାତୀ ଓପନର ଆଲିଷ୍ଟାକ କୁକ 294 ରନର ଇଂନିସ ଖେଳିଥିଲେ । 545 ବଲ ସାମ୍ନା କରିବା ସହ ଇଂଲଣ୍ଡକୁ ପ୍ରଥମ ଇଂନିସରେ 710/7ରେ ପହଞ୍ଚାଇଥିଲେ । ପରେ 244 ରରେ ଭାରତକୁ ଅଲଆଉଟ କରି ଇଂଲଣ୍ଡ 242 ରନର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା ।
4. ଜିଓଫେରୀ ବୟକଟ ଅପରାଜିତ 246*(ହେଡିଂଲି, ଲିଡ୍ସ, 1967)
1967ରେ ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତରେ ଓପନର ଜିଓଫେରୀ ବୟକଟ ଅପରାଜିତ 246* ରନର ଇଂନିସ ଖେଳିଥିଲେ । ଫଳରେ ଘରୋଇ ଦଳ ପ୍ରଥମ ଇଂନିସରେ 550/4ରେ ପହଞ୍ଚିଥିଲା । ପରେ ଭାରତୀୟ ଟିମ ପ୍ରଥମ ଇଂନିସରେ ମାତ୍ର 164 ରନ କରିବା ସହ ଫଲୋଅନର ସାମ୍ନା କରିଥିଲା । ତେବେ ଦ୍ବିତୀୟ ଇଂନିସରେ କ୍ୟାପଟେନ ମନସୁର ଅଲ୍ଲୀ କାନ ପାଟଉଦୀ 148 ରନର ମାରାଥ ଇଂନିସ ଖେଳିବା ସହ ଭ୍ରମଣକାରୀ ଟିମର ସ୍କୋର 510ରେ ପହଞ୍ଚାଇଥିଲେ । ତେବେ 125 ରନର ବିଜୟ ଲକ୍ଷ୍ୟକୁ 4 ୱିକେଟ ହରାଇ ହାସଲ କରିନେଇଥିଲା ଇଂଲଣ୍ଡ ।
5. ଇଆନ ବେଲ୍ 235, (ଦ ଓଭାଲ, ଲଣ୍ଡନ 2011)
ଟିମ ଇଣ୍ଡିଆର 2011 ଇଂଲଣ୍ଡ ଗସ୍ତରେ 4ର୍ଥ ଟେଷ୍ଟ ଦ ଓଭାଲ, ଲଣ୍ଡନରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 591/6ରେ ଇଂନିସ ଘୋଷଣା କରିଥିଲା । ଇଆନ ବେଲ୍ 264 ବଲରୁ 235 ରନର ବଳିଷ୍ଠ ଇଂନିସ ଖେଳିଥିଲେ । ପରେ ଭାରତୀୟ ଟିମକୁ 300 ରନରେ ଅଲଆଉଟ କରିବା ପରେ ଫଲୋ-ଅନ ଦେଇଥିଲା ଘରୋଇ ଟିମ। ପରେ ଦ୍ବିତୀୟ ଇଂନିସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରି 283 ରନରେ ଅଲଆଉଟ ହୋଇଥିଲା ଟିମ ଇଣ୍ଡିଆ । ଫଳରେ ଇଂନିସ ଓ 8 ରନରେ ମ୍ୟାଚ ହାରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ