ନୂଆଦିଲ୍ଲୀ: ଚଳିତ ଭାରତ-ଦକ୍ଷିଣ ଆଫ୍ରିକା ସିରିଜରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ବିସିସିଆଇର ଏଏସୟୁ ମୁଖ୍ୟ ଅଜିତ ସିଂହ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ରହିଥିବା ଅନୁଭବ କରିଛନ୍ତି । ସେଥିପାଇଁ ସମସ୍ତ ଆୟୋଜକ କ୍ରିକେଟ ଆସୋସିଏସନ ଗୁଡିକୁ ଇମେଲ ପଠାଇ ସତର୍କ କରାଇଛନ୍ତି । ସୁରକ୍ଷା ସମ୍ବନ୍ଧୀୟ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ନୁହେଁ ବୋଲି ମେଲରେ ଦର୍ଶାଇଛନ୍ତି ଅଜିତ ସିଂହ ।
ସିରିଜର ପ୍ରଥମ ଟି20 ସେପ୍ଟେମ୍ବର 15ରେ ଧର୍ମଶାଳାରେ ଖେଳାଯିବାର ଥିଲା । ମାତ୍ର ବର୍ଷା କାରଣରୁ ଗୋଟିଏ ବି ବଲ ପଡିବା ସମ୍ଭବ ହୋଇନଥିଲା । ପରେ ମ୍ୟାଚକୁ ବାତିଲ ଘୋଷଣା କରାଯାଇଥିଲା । ସିରିଜର 2ୟ ଟି20 ମୋହାଲିରେ ଖେଳାଯାଇଥିଲା । ସେପ୍ଟେମ୍ବର 16ରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ମୋହାଲି ପହଞ୍ଚିଥିଲେ । ମାତ୍ର ଚଣ୍ଡିଗଡ ପୋଲିସକୁ ଦେୟ ରାଶି ନମିଳିଥିବାରୁ, ସୁରକ୍ଷା ଦାୟିତ୍ବ ନେଇନଥିଲେ । ଖେଳାଳିମାନେ ରହୁଥିବା ହୋଟେଲରେ ଗୋଟିଏ ଦିନ ପରେ ସୁରକ୍ଷା ଦାୟିତ୍ବ ନେଇଥିଲା ଚଣ୍ଡିଗଡ ପୋଲିସ । ମାତ୍ର ଏହା ପ୍ରଥମ ଦିନରୁ ସୁରକ୍ଷା ଯୋଗାଇବା ପାଇଁ ସ୍ଥିର ହୋଇଥିଲା ।
ମ୍ୟାଚ ଦିନ ପଡିଆ ଭିତରକୁ 2ଥର ପ୍ରଶଂସକଙ୍କୁ ପଶିବାର ଦେଖାଯାଇଥିଲା । ଯାହା ସୁରକ୍ଷା ବ୍ୟବସ୍ଥାରେ କୋହଳକୁ ସ୍ପଷ୍ଟ କରିଥିଲା । ପ୍ରଥମେ ଦକ୍ଷିଣ ଆଫ୍ରିକା ଦଳ ବ୍ୟାଟିଂ କରୁଥିବା ବେଳେ, ଜଣେ ବ୍ୟକ୍ତି ପଡିଆ ଭିତରକୁ ଆସିଯାଇଥିଲେ । ପରେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରି ବାହାରକୁ ନେଇଥିଲେ । ଏହାପରେ ଭାରତୀୟ ଇଂନିସରେ ମଧ୍ୟ ସମାନ ଘଟଣା ଘଟିଥିଲା । ବିରାଟ କୋହଲି ବ୍ୟାଟିଂ କରୁଥିବା ବେଳେ ପଡିଆ ଭିତରକୁ ଯାଇ ତାଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ ଜଣେ ଯୁବକ । ସୁରକ୍ଷାକର୍ମୀ ପୁଣିଥରେ ଯୁବକଙ୍କୁ କାବୁ କରି ବାହାରକୁ ନେଇଥିଲେ ।
ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଧ୍ୟାନ ଦେଉଛି ବିସିସିଆଇ ।