ଦୁବାଇ: ପ୍ରକାଶ ପାଇଛି ଆଇସିସି ଟେଷ୍ଟ ମାନ୍ୟତା । ସଦ୍ୟ ପ୍ରକାଶିତ ବ୍ୟାଟିଂ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଯୁଗ୍ମ ଭାବେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ସହ ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ରହିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ଦ୍ବିଶତକ ହାସଲ କରିଥିଲେ ୱିଲିୟମସନ । ଫଳରେ ବ୍ୟାଟିଂ ମାନ୍ୟତାର ଦୁଇଟି ସ୍ଥାନ ଉପରକୁ ଉଠି ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି ବ୍ଲାକକ୍ୟାପସ କ୍ୟାପଟେନ ।
ହାମିଲଟନ ଟେଷ୍ଟରେ ୱିଲିୟମସନ 251 ରନର ମାରାଥନ ଇଂନିସ ଖେଳିଥିଲେ । ଗତ କିଛି ମ୍ୟାଚର ଦମଦାର ପ୍ରଦର୍ଶନ ସହ ସେ 74 ପଏଣ୍ଟ ହାସଲ କରିଛନ୍ତି । 812 ପଏଣ୍ଟରୁ 886 ପଏଣ୍ଟରେ ପହଞ୍ଚିଛନ୍ତି ୱିଲିୟମସନ । ଅନ୍ୟପଟେ ନ୍ୟୁଜିଲାଣ୍ଡର ଟମ ଲାଥମ 733 ପଏଣ୍ଟ ସହ ତାଲିକାର 7ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।
ଅନ୍ୟପଟେ ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର ଅଲରାଉଣ୍ଡର ମାନ୍ୟତାର ଶୀର୍ଷ ସ୍ଥାନ ହରାଇଛନ୍ତି । ଇଂଲଣ୍ଡ ଅଲରାଣ୍ଡର ବେନ ଷ୍ଟୋକ୍ସ ଗୋଟିଏ ପଏଣ୍ଟ ଆଗୁଆ ସହ ଶୀର୍ଷରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ