ନୂଆଦିଲ୍ଲୀ: ଡ୍ୟୁକସ ବଲରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିଆନସିପର ଫାଇନାଲ ମ୍ୟାଚ। ଇଂଲଣ୍ଡ ସାଉଥହମ୍ପଟନର ହେମ୍ପସ ବଲ କ୍ରିକେଟ ଷ୍ଟାଡିମୟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ମ୍ୟାଚ ଖେଳାଯିବ। ପୂର୍ବରୁ ଏହି ମ୍ୟାଚ ଐତିହାସିକ ଲର୍ଡସରେ ଖେଳାଯିବାକୁ ଥିଲା। କିନ୍ତୁ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସାଉଥହମ୍ପଟନକୁ ସ୍ଥାନାନ୍ତର କରାଯାଇଛି।
ତେବେ ଏହାକୁ ନେଇ ଆଇସିସି ପକ୍ଷରୁ ବିଧିବଦ୍ଧ ଭାବରେ କୌଣସି ଘୋଷଣା କରାଯାଇନାହିଁ। ଏହି ସପ୍ତାହ ମଧ୍ୟ ଆଇସିସି ଏନେଇ ଘୋଷଣା କରିପାରେ। ଆଇସିସିର ଜଣେ ଅଧିକାରୀ ଜଣେ ସମ୍ବାଦ ସଂଗ୍ରହ ସଂସ୍ଥାକୁ ଏହାକୁ ନେଇ ସୂଚନା ଦେଇଛନ୍ତି। ସାଉଥହମ୍ପଟନରେ ମ୍ୟାଚ ହେବା ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ସୂଚନା ଦେଇଥିଲେ।
ଡ୍ୟୁକସ୍ ବଲରେ ମ୍ୟାଚ ଖେଳାଗଲେ ଦୁଇ ଦଳର ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ। କାରଣ ସାଧରଣତଃ ଏସଜି କିମ୍ବା କୋକାବୁରା ବଲରେ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଇଂଲଣ୍ଡକୁ ଟେଷ୍ଟ ସିରିଜରେ 3-1ରେ ମାତ ଦେବା ପରେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟାନସିପର ଫାଇନାଲ ମ୍ୟାଚରେ ସ୍ଥାନ ପକ୍କା କରି ପାରିଛି। ଇଂଲଣ୍ଡ ଭାରତ ଟେଷ୍ଟ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ଚାମ୍ପିୟାନସିପର ଫାଇନାଲ ମ୍ୟାଚରେ ସ୍ଥାନ ପକ୍କା କରିଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ