ନୂଆଦିଲ୍ଲୀ: ବିଶ୍ବ କ୍ରିକେଟର ସମସ୍ତ 3ଟି ଫର୍ମାଟ ମଧ୍ୟରେ ଫଟାଫଟ୍ ଫର୍ମାଟ ବା ଟି-20 ଫର୍ମାଟ ସଭିଙ୍କର ପସନ୍ଦ । କ୍ରିକେଟର ଏହି ଛୋଟ ଫର୍ମାଟ ପ୍ରତି ବହୁ ଯୁବ କ୍ରିକେଟର ଆକର୍ଷିତ ହୋଇଥାନ୍ତି । କାରଣ ଏହି ଫଟାଫଟ୍ ଫର୍ମାଟରେ କ୍ରିକେଟର ସମସ୍ତ ଦିଗ ପ୍ରତି ବାଟ ଖୋଲା ରହିଥାଏ ଏବଂ ସହଜରେ ସଫଳତା ମିଳିଥାଏ । ତେବେ ଏହି ଫର୍ମାଟରେ ଅଧିକ ମ୍ୟାଚ ଖେଳିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଶ୍ବର ସବୁଠାରୁ ଓଜନିଆ ଖେଳାଳି ତଥା ୱେଷ୍ଟଇଣ୍ଡିଜ୍ ସ୍ପିନର ରହକିମ କର୍ଣ୍ଣୱାଲ ।
140 କେଜି ଓଜନର ଏହି କାରବିଆନ ଖେଳାଳି କହିଛନ୍ତି ଘରୋଇ ତଥା ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ସହ ମୋତେ ଆଇପିଏଲ ଖେଳିବା ପାଇଁ ସୁଯୋଗ ମିଳିଲେ ଏହା ମୋ କ୍ୟାରିଅର ପାଇଁ ବୋନସ ପଏଣ୍ଟ ସାବ୍ୟସ୍ତ ହେବ । ବର୍ତ୍ତମାନ କାରବିଆନ ପ୍ରିମିୟର ଲିଗରେ ସେଣ୍ଟ ଲୁସିଆ ଜୁକ୍ସ ପାଇଁ ଖେଳୁଥିବା ଏହି 27 ବର୍ଷିୟ ସ୍ପିନର କହିଛନ୍ତି, ‘‘ ଯଦି ମୁଁ ଟି -20 ଫର୍ମାଟ୍ ଖେଳି ବିଶ୍ୱ ଭ୍ରମଣ କରିପାରିବି ଏବଂ ଲିଗ୍ ଖେଳି ପାରିବି ତେବେ ଏହା ଭଲ ହେବ । କିନ୍ତୁ ମୋର ଲକ୍ଷ୍ୟ ହେଉଛି ସେଠାରେ ଅନ୍ୟତମ ସଫଳ ଟେଷ୍ଟ ଖେଳାଳି ହେବା ।’’
“ଟେଷ୍ଟ କ୍ରିକେଟ୍ ଖେଳିବା ହେଉଛି କ୍ରିକେଟ୍ କଳା, ସମସ୍ତେ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଏବଂ ଭଲ କରିବାକୁ ଚାହାଁନ୍ତି । ମୁଁ ଟେଷ୍ଟ କ୍ରିକେଟରେ ପଦାର୍ପଣ କରି ସାରିଛି । ମୁଁ ଚାହୁଁଛି ଯେ ମୁଁ ଟେଷ୍ଟ କ୍ରିକେଟରେ ଯାହା ଖୋଜୁଛି ତାହା ପାଏ । ଯେତେବେଳେ ମୋର ଅବସର ନେବାକୁ ସମୟ ଆସିବ, ସେତେବେଳେ ଯେମିତି ମୋର କୌଣସି ଅବଶୋଷ ରହିବ ନାହିଁ ।’’
ଗତ ବର୍ଷ ଜାମାଇକାଠାରେ ଭାରତ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ଏହି ସ୍ପିନର ଚେତେଶ୍ବର ପୂଜାରାର ମୂଲ୍ୟବାନ ୱିକେଟ ହାସଲ କରିଥିଲେ । ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ଆଉଟ କରିଛନ୍ତି ।