ହାଇଦ୍ରାବାଦ: ଧୋନି, ଏହା କେବଳ ଗୋଟିଏ ନା ନୁହେଁ । ଏହା ଲକ୍ଷ ଲକ୍ଷ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଇମୋସନ । ଧୋନି, ଏ ଜଣେ ସାଧାରଣ କ୍ରିକେଟର ନୁହଁନ୍ତି, ନୂତନ ଭାରତୀୟ କ୍ରିକେଟର ସେ ହେଉଛନ୍ତି ଜନ୍ମଦାତା । ଧୋନି, ଗୋଟିଏ ମଣିଷ କୋଟିଏ କାହାଣୀ ।
ତେବେ ଏହି ମହାନ ଭାରତୀୟ କ୍ରିକେଟରଙ୍କ ଆଜି ହେଉଛି ଜନ୍ମଦିନ । 38 ବର୍ଷରେ ପାଦ ଥାପିଛନ୍ତି ସମସ୍ତଙ୍କ ପ୍ରିୟ କ୍ୟାପ୍ଟେନ କୁଲ । ଗ୍ରାଉଣ୍ଡରେ ତାଙ୍କ କୁଲନେସ୍ ଅନ୍ଦାଜ ହିଁ ବୟାନ କରେ ତାଙ୍କ ମହାନତା । କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପରେ ଯଦି କୌଣସି ମହାନ ଭାରତୀୟ କ୍ରିକେଟରଙ୍କ ନା ଆସେ, ସେହି ନାଁ ଟି ହେଉଛି ମହେନ୍ଦ୍ର ସିଂ ଧୋନି, ଏମଏସ ଧୋନି ।
ରାଞ୍ଚିର ଏକ ଛୋଟ ସହରରୁ ଆସିଥିବା ଏହି ମଣିଷଟି 28ବର୍ଷ ପରେ ଭାରତକୁ ଆଉ ଏକ ବିଶ୍ବକପ ଆଣିଦେବ ବୋଲି କେହି କଳ୍ପନା ବି କରିନଥିଲେ । ତେବେ କେବଳ ଗୋଟିଏ ବିଶ୍ବକପ ନୁହେଁ । ଆଇସିସିର 3ଟି ଯାକ ଟ୍ରଫି ଧୋନି ହିଁ ଉଠାଇଛନ୍ତି । ଆଉ ଏମିତି କରିବାରେ ଧୋନି ହେଉଛନ୍ତି ବିଶ୍ବର ପ୍ରଥମ କ୍ରିକେଟର । ମାଷ୍ଟର ବ୍ଲାଷ୍ଟରଙ୍କଠାରୁ ବିରାଟ କୋହଲିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଧରି ଭାରତୀୟ କ୍ରିକେଟକୁ ଆଗକୁ ନେଇଛନ୍ତି କ୍ୟାପ୍ଟେନକୁଲ । ସଚିନଙ୍କୁ ତାଙ୍କ ଅପେକ୍ଷାର ଫଳ ଦେଇଛନ୍ତି ଓ ଭାରତୀୟ କ୍ରିକେଟକୁ ବିଶ୍ବସ୍ତରରେ ଗୋଟିଏ ନୂଆ ପରିଚୟ । ତେବେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ 2017 ଜାନୁଆରୀରେ ଅଧିନାୟକ ପଦ ଛାଡିଥିଲେ ଧୋନି । ଆଉ ଏବେ ଚର୍ଚ୍ଚା ହେଉଛି, ଚଳିତ ବିଶ୍ବକପ ହିଁ ଧୋନିଙ୍କ ଶେଷ ବିଶ୍ବକପ ହୋଇପାରେ ।
ତେବେ 1981ରେ ଜନ୍ମଗ୍ରହଣ କରିଥିବା ଏହି ମହାନ କ୍ରିକେଟରଙ୍କୁ ଇଟିଭି ଭାରତ ପରିବାର ତରଫରୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।