ନୂଆଦିଲ୍ଲୀ: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ୍ ଇନ ଇଣ୍ଡିଆ (ବିସିସିଆଇ) ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଆଜି 48 ତମ ଜନ୍ମଦିନ । ଜୁଲାଇ 8, 1972 ରେ ଜନ୍ମ ଗ୍ରହଣ କରିଥିବା ଗାଙ୍ଗୁଲି ଦୁନିଆର ସବୁଠୁ ବଡ କ୍ରିକେଟ୍ ଆଇକନ୍ ମଧ୍ୟରୁ ଜଣେ । ସେହିପରି 'ଗଡ୍ ଅଫ୍ ଅଫ୍ ସାଇଡ୍' ବୋଲି ତାଙ୍କୁ ଆଖ୍ୟା ଦେଇଥିଲେ ପୂର୍ବତନ କ୍ରିକେଟର ରାହୁଲ ଦ୍ରାଭିଡ୍ । ତେବେ 2000 ମସିହାରେ ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବନିବା ପରେ ଏକ ନୂତନ ରୂପରେ ଭାରତୀୟ ଦଳକୁ ଦେଖିବାକୁ ମିଳିଥିଲା ।
ତେବେ ଏକ ଦଶନ୍ଧି ଧରି ଗାଙ୍ଗୁଲିଙ୍କ ଚମତ୍କାର ବ୍ୟାଟିଂ ଦେଶ ତଥା ବିଶ୍ବ ପ୍ରଶଂସକଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଥିଲା । ଦଳରେ ତାଙ୍କର ଚମତ୍କାର ରଣ କୌଶଳ ବିରୋଧୀଙ୍କ ମୁଣ୍ଡବ୍ୟଥାର ଅନ୍ୟ କାରଣ ହେଉଥିଲା । ବେଙ୍ଗଲ ଟାଇଗର, ପ୍ରିନ୍ସ ଅଫ କୋଲକତା ଓ ଦାଦା ନାମରେ ପରିତିତ ଏହି ମହାନ କ୍ରିକେଟର 1996 ମସିହାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ମ୍ୟାଚରେ ଡେବ୍ୟୁ କରିଥିଲେ । ତେବେ 2ୟ ମ୍ୟାଚରେ ହିଁ ସେ ଟେଷ୍ଟ ଶତକ ଯୋଡିଥିଲେ । ଆଉ ଏମିତି କରି ସେ ବିଶ୍ବର 3ୟ ଖେଳାଳି ବନିଥିଲେ । ତେବେ ଯୁବାବସ୍ଥାରେ ତଥା ଇଂଲଣ୍ଡର ଐତିହାସିକ ଗ୍ରାଉଣ୍ଡରେ ଲର୍ଡ୍ସରେ ଶତକ ଯୋଡିଥିବାରୁ ତାଙ୍କୁ ପ୍ରିନ୍ସ ଅଫ କୋଲକତା ନାମରେ ପ୍ରଶଂସକ ଡାକିବାକୁ ଲାଗିଲେ ।
ସେହିପରି ଏହାର ପର ବର୍ଷ ଅର୍ଥାତ 1997 ମସିହାରେ ସେ କ୍ରମାଗତ 4ଟି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବାରେ ସକ୍ଷମ ହୋଇଥିଲେ । ତେବେ 1999 କ୍ରିକେଟ୍ ବିଶ୍ୱକପରେ ଗାଙ୍ଗୁଲି ଶ୍ରୀଲଙ୍କା ବିପକ୍ଷରେ 183 ରନର ପାଳି ଖେଳିଥିଲେ । ରାହୁଲ ଦ୍ରାବିଡଙ୍କ ସହ ମିଶି 318 ରନ୍ ଭାଗିଦାରୀରେ ଯୋଡିଥିଲେ ।
ଆଉ ଏହା ପରେ ଆସିଲା ଦାଦଙ୍କ ଅସଲି ପରୀକ୍ଷାର ବେଳେ । 2000 ମସିହାରେ ମ୍ୟାଚ୍ ଫିକ୍ସିଂ ଦୁର୍ନୀତି ଭାରତୀୟ ଶିବିରକୁ କଳଙ୍କିତ କରିଥିଲା ବେଳେ ଦଳର ମଙ୍ଗ ଧରିଲେ ଦାଦା । ଏଭଳି ଏକ ଅଶାନ୍ତ ସମୟରେ ଦଳକୁ ପରିଚାଳନା କରିବା ଏକ ଆହ୍ବାନ ଭାରା କାର୍ଯ୍ୟଥିଲା । ସେ ସମୟରେ ଦଳରେ ଅଧିକାଂଶ ଯୁବ ଖେଳାଳିଥାନ୍ତି । ଆଉ ବିଶ୍ବକପ ତୟାରି ପାଇଁ ହାତରେ କମ ସମୟ ମଧ୍ୟ ଥାଏ । ତେବେ ଦାଦା ଅଧିନାୟକ ହେବା ମାତ୍ରେ ନୂତନ ପ୍ରତିଭାକୁ ସୁଯୋଗ ଦେବାରେ ଲାଗନ୍ତି । ଏହା ତାଙ୍କ ନେତୃତ୍ବର ଏକ ପ୍ରମାଣ ଯେ ଯୁବରାଜ ସିଂ, ହରଭଜନ ସିଂ, ମହମ୍ମଦ କୈଫ, ଏମଏସ ଧୋନି, ଆଶିଷ ନେହେରା ଏବଂ ଜାହିର ଖାନ ଭଳି ଭାରତୀୟ ଷ୍ଟାର କ୍ରିକେଟରଙ୍କୁ ଦାଦା ହିଁ ସାମ୍ନାକୁ ଆଣିଥିଲେ ।
ତେବେ ଗାଙ୍ଗୁଲି ପ୍ରଥମେ ଭାରତକୁ 2000 ଆଇସିସି ନକ୍ଆଉଟ୍ ଟ୍ରଫିର ଫାଇନାଲକୁ ନେଇଥିଲେ | 2001ରେ ଭାରତୀୟ କ୍ରିକେଟ୍ ପାଇଁ ଆଉ ଏକ ସଫଳତା ମୁହୂର୍ତ୍ତ ଆସିଥିଲା ଯେତେବେଳେ ଗାଙ୍ଗୁଲି ନେତୃତ୍ବାଧୀନ ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ 2-1ରେ ପରାସ୍ତ କରିଥିଲା | ଏହି ସିରିଜ୍ ସମୟରେ ଭାରତ ଇଡେନ୍ ଗାର୍ଡେନ୍ସରେ ସବୁଠାରୁ ପ୍ରସିଦ୍ଧ ଟେଷ୍ଟ ବିଜୟ ରେକର୍ଡ କରିଥିଲା | ଷ୍ଟିଭ୍ ୱେଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ଭାରତକୁ ଫଲୋ ଅନ ଦେଇଥିଲା । ମାତ୍ର ଭିଭିଏସ୍ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡଙ୍କ ଭାଗିଦାରୀ ଭାରତୀୟ ଦଳ ପାଇଁ ଏକ ବଡ଼ ପ୍ରତ୍ୟାବର୍ତ୍ତନ ଆଣିଥିଲା । ଶେଷରେ ମ୍ୟାଚ ଜିତିଥିଲା ଭାରତ ।
ସେହିପରି 2002, ନାଟୱେଷ୍ଟ ଟ୍ରଫିର ଫାଇନାଲରେ ଯେତେବେଳେ ଭାରତ ପ୍ରସିଦ୍ଧ ଲର୍ଡ୍ସ ଗ୍ରାଉଣ୍ଡରେ ଇଂଲଣ୍ଡକୁ ପରାସ୍ତ କରିଥିଲା, ଦାଦା ନିଜ ଜର୍ସି ଓହ୍ଲାଇ ଚିୟର ଅଫ କରିବା ଦୃଶ୍ୟ ଆଜି ବି ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଅଲିଭା । ଦୁଇ ଯୁବ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏବଂ ମହମ୍ମଦ କୌଫଙ୍କ ଭାଗୀଦାର ଦ୍ବାରା ନଟୱେଷ୍ଟ ଟ୍ରଫିର ଫାଇନାଲରେ ବିଜୟୀ ହୋଇଥିଲା ଭାରତ ।
ତେବେ 48 ବର୍ଷୀୟ ଗାଙ୍ଗୁଲିଙ୍କ ନେତୃତ୍ବାଧିନ ଦଳ 2003 ବିଶ୍ବକପ ଫାଇନାଲରେ ରନର୍ସ ଅଫ ହୋଇଥିଲା । ସେହିପରି 2004 ମସିହାରେ ପାକିସ୍ତାନ ମାଟିରେ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ବିଜୟ ମଧ୍ୟ ଭାରତ ପାଇଁ ଐତିହାସିକ ବିଜୟ ହୋଇଥିଲା ।
ସେହିପରି 2005-06 ସିଜନରେ କିଛି ଅପ୍ରିତିକର ପରିସ୍ଥିତ ଦେଇ ମଧ୍ୟ ଗାଙ୍ଗୁଲିଙ୍କୁ ଗତି କରିବାକୁ ପଡିଥିଲା । କରାଣ ସେ ସମୟର ଭାରତୀୟ କୋଚ୍ ଗ୍ରେଗ ଚାପେଲଙ୍କ ଗାଙ୍ଗୁଲିଙ୍କ ମାମଲା ଆଗକୁ ବଢିଥିଲା । ଅସାଦଚରଣ ଅଭିଯୋଗରେ ଗାଙ୍ଗୁଲିଙ୍କୁ କିଛି ସିରିଜରୁ ବାଦ୍ ମଧ୍ୟ ଦିଆଯାଇଥିଲା । ମାତ୍ର ଜଣେ ଯୋଦ୍ଧା ପରି ଦାଦା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଜୋହାନ୍ସବର୍ଗରେ (50+) ସ୍କୋର ପୁଣି ଥରେ ସେ ନିଜକୁ ପ୍ରମାଣିତ କରିଥିଲେ ।
ତେବେ 2008 ରେ ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ଖେଳିବା ପରେ କୋଲକାତାର ପ୍ରିନ୍ସ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରୁ ଅବସର ଘୋଷଣା କରିଥିଲେ । ମାତ୍ର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବା ଜାରି ରଖିଥିଲେ । ପରେ 2012ରେ ଘରୋଇ କ୍ରିକେଟରୁ ମଧ୍ୟ ଅବସର ନେଇଥିଲେ ଗାଙ୍ଗୁଲି ।
ପୂର୍ବତନ ଅଧିନାୟକ ଭାରତ ପାଇଁ 113 ଟେଷ୍ଟ ଏବଂ 311 ଟି ଦିନିକିଆ ଖେଳିଛନ୍ତି । ବାମହାତୀ ବ୍ୟାଟ୍ସମ୍ୟାନ୍ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ସମସ୍ତ ଫର୍ମାଟରେ 18,575 ରନ୍ ସ୍କୋର କରିଛନ୍ତି । ଗାଙ୍ଗୁଲି ସମସ୍ତ ଫର୍ମାଟରେ 195 ଟି ମ୍ୟାଚ୍ ରେ ଭାରତର ନେତୃତ୍ୱ ନେଇଛନ୍ତି । ସେଥି ମଧ୍ୟରୁ 97 ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛନ୍ତି ।
ପରେ କୋଲକାତାର ରାଜକୁମାର କ୍ରିକେଟ୍ ଆସୋସିଏସନ୍ ଅଫ୍ ବଙ୍ଗଳା (CAB) ର ସଭାପତି ଏବଂ ଗତ ବର୍ଷ ଅକ୍ଟୋବରରେ ବିସିସିଆଇର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି । ଭାରତରେ ଦିବାରାତି ଟେଷ୍ଟର ସଫଳ ଆୟୋଜନ ପଛରେ ଗାଙ୍ଗୁଲି ଏକ ପ୍ରମୁଖ ଭୂମିକା ରହିଛି । 2019 ରେ ଇଡେନ୍ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଦିବାରାତ୍ରୀ ଟେଷ୍ଟ ମ୍ୟାଚ୍ ଖେଳିଥିଲା ଆଉ ଯେଉଁଥିରେ ବିଜୟ ହାସଲ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ