ନୂଆଦିଲ୍ଲୀ: କ୍ରିକେଟ ଯଦି ଏକ ଧର୍ମ ହୁଏ ତେବେ ଏହାର ଭଗବାନ ସଚିନ ତେନ୍ଦୁଲକର ବୋଲି କୁହାଯାଏ । ସେ କେବଳ ଅନେକ ରେକର୍ଡ ଭାଙ୍ଗିଛନ୍ତି ବୋଲି ନୁହେଁ, ମ୍ୟାଚ ସମୟରେ ନିଜ ଟିମ ସହ ପ୍ରତିପକ୍ଷ ଟିମର ଖେଳାଙ୍କ ସହ ତାଙ୍କର ବ୍ୟବହାର ତାଙ୍କୁ ମହାନ କରି ଗଢ଼ି ତୋଳିଛି । ଅନେକ ସମୟରେ ଭାରତ ବିଭିନ୍ନ ଟିମ ସହ ହାଇ ଭୋଲ୍ଟେଜ ମ୍ୟାଚ ଖେଳିଛି, ତେନ୍ଦୁଲକର କିନ୍ତୁ ସବୁବେଳେ ପ୍ରତିପକ୍ଷ ଟିମ ଖେଳାଳିଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଛନ୍ତି । ସମସ୍ତେ ତାଙ୍କୁ ବେଶ ଭଲ ପାଇବା ସହ ସମ୍ମାନ ମଧ୍ୟ କରନ୍ତି । ତେବେ ଭାରତର ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ଖେଳିବା ବେଳେ ସଚିନ ଟିମକୁ ବିଜୟୀ କରିବାରେ ଅନେକଥର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତଥାପି ପାକିସ୍ତାନ ଦଳର ପୂର୍ବତନ ଅଧିନାୟକ ରଶିଦ ଲତିଫ କରହିଛନ୍ତି ଯେ ସଚିନ ସବୁବେଳେ ସ୍ମରଣୀୟ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ରହିବେ । ୟୁଟ୍ୟୁବ ଭିଡିଓରେ ପାକିସ୍ତାନର ପୂର୍ବତନ ୱିକେଟ କିପର-ବ୍ୟାଟ୍ସମ୍ୟାନ ଲତିଫ ମନେ ପକାଇଛନ୍ତି ଯେ, ଯେତେବେଳେ ତେନ୍ଦୁଲକର ବ୍ୟାଟିଂ କରୁଥିଲେ ତାଙ୍କ ମନ ଚାହୁଁନଥିଲା ସେ ଆଉଟ ହୁଅନ୍ତୁ ।
“ଯେତେବେଳେ ମୁଁ କିପିଙ୍ଗ କରୁଥିଲି, ଅନେକ ଖେଳାଳି ବ୍ୟାଟିଂ କରିବାକୁ ଆସନ୍ତି । କିନ୍ତୁ ଯେତେବେଳେ ସେ ବ୍ୟାଟିଂ କରିବାକୁ ଆସୁଥିଲେ, ମୋ ହୃଦୟ ଚାହୁଁ ନଥିଲା ଯେ ସେ ଆଉଟ ହୁଅନ୍ତୁ । ମୁଁ କିପିଙ୍ଗ କଲାବେଳେ ତାଙ୍କ ବ୍ୟାଟିଂକୁ ଦେଖି ଉପଭୋଗ କରୁଥିଲି । ତାଙ୍କୁ ଟିଭିରେ ଦେଖିବା ସମୟରେ ନୁହେଁ, ବରଂ ମୁଁ ଷ୍ଟମ୍ପ ପଛରେ ଠିଆ ହୋଇଥିବା ବେଳେ ମତେ ତାଙ୍କୁ ବ୍ୟାଟିଂ କରୁଥିବା ଦେଖିବାକୁ ଭଲ ଲାଗେ,’’ ବୋଲି ଲତିଫ କହିଛନ୍ତି ।
“ବ୍ରାଏନ ଲାରା ହୁଅନ୍ତୁ ରିକି ପଣ୍ଟିଂ କିମ୍ବା ଜ୍ୟାକ କଲିସ ହୁଅନ୍ତୁ, ମୁଁ କିପିଙ୍ଗ କଲାବେଳେ ସେମାନଙ୍କୁ ସବୁବେଳେ ଆଉଟ କରିବାକୁ ଚାହୁଁଥିଲି । କିନ୍ତୁ ତେନ୍ଦୁଲକରଙ୍କ ବ୍ୟବାହର ଅନନ୍ୟ ଥିଲା । ଯେତେବେଳେ ମୁଁ ୱିକେଟ ପଛରୁ କିଛି କହୁଥିଲି, ସେ କଦାପି ପ୍ରତିକ୍ରିୟା ଦେବେ ନାହିଁ କିମ୍ବା କିଛି କହିବେ ନାହିଁ, କେବଳ ହସନ୍ତି,’’ ବୋଲି ସେ କହିଛନ୍ତି ।
“ଅନ୍ୟମାନେ ପ୍ରତିକ୍ରିୟା ଦେଉଥିଲେ। ସଚିନ ଏବଂ ମହମ୍ମଦ ଆଝାରୁଦ୍ଦିନ ଏହିପରି ନଥିଲେ। ସେମାନେ ବିରୋଧୀ ଖେଳାଳିଙ୍କୁ ନିଜର କରି ନେଉଥିଲେ । ଏହି କାରଣରୁ ସମସ୍ତେ ତେନ୍ଦୁଲକରଙ୍କୁ ବିଶେଷ କରି ୱିକେଟ୍ କିପର ତାଙ୍କୁ ପ୍ରଶଂସା କରନ୍ତି । ସେ ଶତକ କରୁଥିଲେ, ସେ ବୋଲରଙ୍କ ଉପରେ ଆକ୍ରମଣ କରୁଥିଲେ, କିନ୍ତୁ ସେ କେବେ ବି ଗୋଟିଏ ଶବ୍ଦ ମଧ୍ୟ କହି ନାହାଁନ୍ତି । ତାଙ୍କୁ ଆଉଟ କରିବା ପାଇଁ ଆପଣ ଜଣେ କିପର ଭାବେ ତାଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରିବେ କିନ୍ତୁ ସେ କିଛି କହନ୍ତି ନାହିଁ ।’’
“ଆପଣ ଏକ ଇନିଂସ ଖେଳି ଚାଲିଯିବେ। କିନ୍ତୁ ଜଣେ ସର୍ବଦା ଆପଣଙ୍କର ଆଚରଣକୁ ମନେ ରଖେ । ମୋ ମତରେ, ଯେଉଁ ଖେଳାଳି ମାନେ ପଡ଼ିଆରେ ସର୍ବୋତ୍ତମ ଆଚରଣ ପ୍ରଦର୍ଶନ କରିଥିଲେ ସେହି ତାଲିକାରେ ସେ ଶୀର୍ଷରେ ଅଛନ୍ତି । ଏହିପରି ଖେଳାଳିମାନେ ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ରହିଥା’ନ୍ତି,’’ ବୋଲି ପାକିସ୍ତାନୀ ବ୍ୟାଟ୍ସମ୍ୟାନ କହିଛନ୍ତି ।