ମଞ୍ଚେଷ୍ଟର: ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆରେ କଙ୍ଗାରୁ ଦଳର ବ୍ୟାଟିଂ ବିପର୍ଯ୍ୟୟ ଇଂଲଣ୍ଡକୁ 24 ରନର ବିଜୟ ଦେବାରେ ସହାୟକ ହୋଇଛି । ଓଲ୍ଡ ଟ୍ରାଫଡରେ ଚାଲିଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆର ନାଟକୀୟ ଢଙ୍ଗରେ ମାତ୍ର ତିନି ରନରେ 4 ୱିକେଟର ପତନ ହୋଇଥିଲା ।
232 ରନ ଲକ୍ଷ୍ୟକୁ ପିଛା କରି ପଡିଆକୁ ଓହ୍ଲାଇଥିବା ଭ୍ରମଣକାରୀ ଦଳ 49 ତମ ଓଭରରେ ମାତ୍ର 207 ରନ କରି ଅଲ ଆଉଟ ହୋଇଥିଲା । ଯାହାର ଫଳସ୍ବରୂପ ଇଂଲଣ୍ଡ ମ୍ୟାଚ ଜିତିବା ସହ ଚାଲିଥିବା ଆଇସିସି ବିଶ୍ବକପ ସୁପର ଲିଗର ଶୀର୍ଷ ସ୍ଥାନ ହାସଲ କରିଛି । ବୁଧବାର ଉଭୟ ଟିମ ସମାନ ଭେନ୍ୟୁରେ ଶେଷ ତଥା ନିର୍ଣ୍ଣାୟକ ଦିନିକିଆ ଖେଳେବେ ।
ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଇଂଲଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା । 7 ଓଭରରେ ହିଁ ଓପନର ଜନି ବୈରଷ୍ଟୋ ଏବଂ ଜେସନ ରଏ ଡ୍ରେସିଂ ରୁମକୁ ଫେରିଥିଲେ।
ଜୋ ରୁଟ ଓ ଇଅନ ମର୍ଗାନ ଇଂଲଣ୍ଡ ପାଳି ସମ୍ଭାଳିଥିଲେ । ଇଂଲଣ୍ଡର ସ୍ଥିତି ଅଳ୍ପ ସୁଧୁରିବା ବେଳେ ଅଷ୍ଟ୍ରେଲିଆ ଲେଗ ସ୍ପିନର ଆଡାମ ଜାମ୍ପା 39 ରନରେ ରୁଟଙ୍କୁ ପଭିଲିୟନର ରାସ୍ତା ଦେଖାଇଥିଲେ ।
ଏହା ପରେ ଆୟୋଜକ ଦଳ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ସ୍କୋର ବୋର୍ଡରେ ମାତ୍ର 149/8 ରନ ଲଗାଇ ପାରିଥିଲେ । ତେବେ ଟିମ କୁରାନ ଏବଂ ଆଦିଲ ରସିଦ ଏହା ପରେ ନିଜ ଟିମ ପାଇଁ 76 ରନର ଭାଗିଦାରୀ କରିଥିଲେ, ଯାହାପରେ କୁରାନ ମଧ୍ୟ 37 ରନ କରି ଆଉଟ ହୋଇଥିଲେ । ରସିଦ 26 ବଲରୁ 35 ରନ କରି ଅପରାଜିତ ରହିଥିବାବେଳେ ଟିମର ସ୍କୋର ନିର୍ଦ୍ଧାରିତ 50 ଓଭରରେ 231/9କୁ ପହଁଞ୍ଚାଇଥିଲେ ।
ଅଷ୍ଟ୍ରେଲିଆର ଆରମ୍ଭ ଭଲ ହୋଇନଥିଲା କାରଣ ସେମାନେ ଶୀଘ୍ର ଡେଭିଡ ୱାର୍ଣ୍ଣର ଏବଂ ମାର୍କସ ଷ୍ଟୋଇନିସଙ୍କ ୱିକେଟ ଜୋଫ୍ରା ଆର୍ଚରଙ୍କୁ ଦେଇବସିଥିଲେ । ଅବଶ୍ୟ, ଆରୋନ୍ ଫିଞ୍ଚ ଏବଂ ମାର୍ନସ ଲାବୁସାଗ୍ନେ ଦୃଢ଼ ଭାବରେ ଅଷ୍ଟ୍ରେଲିଆର ପାଳି ସମ୍ଭାଳିଥିଲେ ଏବଂ ଟିମ ପାଇଁ 107ର ଭାଗିଦାରୀ କରିଥିଲେ ।
20 ବଲରେ 89 ରନ ହାସଲ କରି ବିଜୟ ଆଡ଼କୁ ଗତି କରିବା ସମୟରେ ହିଁ ନାଟକୀୟ ଭାବରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳର ୱିକେଟ ପତନ ହୋଇଥିଲା । କ୍ରିଶ ୱୋକ୍ସ ଓ ଆର୍ଚର ଲାବୁସ୍ନାଗେ, ମିଚେଲ ମାର୍ସ, ଫିଞ୍ଚ ଓ ଗ୍ଲେନ ମେକ୍ସୱେଲଙ୍କୁ ଆଉଟ କରି ନିଜ ଦଳକୁ ବିଜୟୀ କରାଇଥିଲେ ।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ 231/9 (ମର୍ଗାନ 42, ରୁଟ 39, ଜାମ୍ପା- 3/36)
ଅଷ୍ଟ୍ରେଲିଆ: 207 ଅଲ ଆଉଟ (ଫିଞ୍ଚ 73, ଲାବୁସ୍ନାଗେ 48, ୱୋକ୍ସ 3/32) ।
@IANS