ଡବଲିନ: ମହାମାରୀ କୋରୋନା ଭାଇରସ ଲକଡାଉନ କାରଣରୁ ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି । ଜୀବନ ସାମାନ୍ୟ ସ୍ବାଭାବିକ ହୋଇଥିବାବେଳେ, ଇଂଲଣ୍ଡ-ଇଣ୍ଡିଜ ଟେଷ୍ଟ ସିରିଜରୁ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇଛି । ଏହା କ୍ରିକେଟ ପ୍ରେମୀଙ୍କ ପାଇଁ ଆଶ୍ବସ୍ଥିକର ଖବର ହୋଇଛି । ମାତ୍ର 2020 ପୁରୁଷ ଟି-20 ବିଶ୍ବକପ ସ୍ଥଗିତ ପରେ, ଘରୋଇ ଟି-20 ଲିଗ ୟୁରୋ ଟି-20 ସ୍ଲାମ କୋରୋନା ଭାଇରସ ଯୋଗୁଁ 2021କୁ ସ୍ଥଗିତ ଘୋଷଣା ହୋଇଛି ।
ଆୟରଲାଣ୍ଡ, ସ୍କଟଲାଣ୍ଡ ଓ ନେଦରଲାଣ୍ଡ କ୍ରିକେଟ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟର ମିଳିତ ଆୟୋଜକ ରହିଥିଲେ । ଅନ୍ତର୍ଜାତୀୟ ବିମାନ ଯାତ୍ରା କଟକଣା, ଆବଶ୍ୟକୀୟ କ୍ବାରେଣ୍ଟିନ ବ୍ୟବସ୍ଥା ଓ ଷ୍ଟାଡିୟମରେ ଦର୍ଶକଙ୍କ ଅନୁପସ୍ଥିତି ଏହି ଟି-20 ଲିଗ ବିଳମ୍ବ ହେବାର ପ୍ରମୁଖ କାରଣ ହୋଇଛି ।
ଗୋଟିଏ ଷ୍ଟାଡିୟମରେ ମ୍ୟାଚ, ସଂକ୍ଷେପ ମ୍ୟାଚ ସୂଚୀ ସହ ପ୍ରତିଯୋଗିତା ଆୟୋଜନ ନେଇ ଆୟୋଜକ କମିଟି ବିଚାର କରିଥିଲା । ମାତ୍ର ଏଥିରେ ସହମତି ହୋଇନଥିଲା । ଫଳରେ ସ୍ଥଗିତ ନିଷ୍ପତ୍ତି ନିଆଯାଇଥିବା ଏକ ଘୋଷଣାନାମାରେ ସୂଚନା ଦେଇଛନ୍ତି ଆୟରଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ୱାରେନ ଡେଉଟ୍ରମ । ଅଗଷ୍ଟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ପୂର୍ବରୁ ସୂଚୀ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ